ଓଡ଼ିଆ ସିନେମା ‘ଚାରିକାନ୍ଧ’ର ମହା ପ୍ରଭାବ ; ସମାଜରେ ଏକ ଅଭିନବ ପରିବର୍ତ୍ତନ ଆଣିବାକୁ ସଂକଳ୍ପ ନେଲେ ଆଇଟି ଇଞ୍ଜିନିୟର୍

ଓଡ଼ିଆ ସିନେମା ‘ଚାରିକାନ୍ଧ’ର ମହା ପ୍ରଭାବ ; ସମାଜରେ ଏକ ଅଭିନବ ପରିବର୍ତ୍ତନ ଆଣିବାକୁ ସଂକଳ୍ପ ନେଲେ ଆଇଟି ଇଞ୍ଜିନିୟର୍

ଭୁବନେଶ୍ବର,୧୩/୩ : ଆଜିର ସମାଜରେ ମୃତ୍ୟୁ ପରେ ଶ୍ମଶାନକୁ ନେବା ପାଇଁ ଚାରି କାନ୍ଧର ଅଭାବ ରହିଛି। ଏହି ବାସ୍ତବ ଚିତ୍ରକୁ ଅତି ନିଖୁଣ ଭାବେ ଭାରତର ପ୍ରଥମ ମଧ୍ୟମ ଅବଧି ଚଳଚ୍ଚିତ୍ର ‘ଚାରିକାନ୍ଧ’ରେ ଚିତ୍ରଣ କରାଯାଇଛି। ଏହି ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିବା ପରେ ସମାଜରେ ଏକ ଅଭିନବ ପରିବର୍ତ୍ତନ ଆଣିବାକୁ ସଂକଳ୍ପ ନେଇଛନ୍ତି କଟକ ଜିଲ୍ଲାର ବାସିନ୍ଦା ଆଇଟି ଇଞ୍ଜିନିୟର୍ ବିଭୁ ପ୍ରସାଦ। 

ସଦ୍ୟ ରିଲିଜ ହୋଇଥିବା ଓଡ଼ିଆ ସିନେମା ‘ଚାରିକାନ୍ଧ’ ଦେଖିବାକୁ ଯାଇଥିଲେ ବିଭୁପ୍ରସାଦ। ହଲ୍ ଭିତରେ ଚଳଚ୍ଚିତ୍ରଟିକୁ ଦେଖିବା ପରେ କାହାଣୀଟି କାଳ୍ପନିକ ନୁହେଁ ବରଂ ସଭ୍ୟ ସମାଜର ନିତିଦିନିଆ ଘଟଣା ବୋଲି ସେ ଅନୁଭବ କରିଥିଲେ। ଏହା ପରେ ସେ ମୃତ୍ୟୁ ପରେ ଚାରିକାନ୍ଧ ପାଉନଥିବା ପାର୍ଥିବ ଶରୀରକୁ କାନ୍ଧ ଦେବି ବୋଲି କହିବା ସହ ସମାଜର ଯୁବପିଢ଼ିଙ୍କୁ ଏ ବିଷୟରେ ସଚେତନ କରାଇବେ ବୋଲି ଅଣ୍ଟା ଭିଡ଼ିଛନ୍ତି। ଏକ ଘରୋଇ କମ୍ପାନୀରେ ଆଇଟି ଇଞ୍ଜିନିୟର୍ ଥିବା ବିଭୁପ୍ରସାଦ ପୂର୍ବରୁ ଅନେକ ସାମାଜିକ କାର୍ଯ୍ୟ କରିଆସୁଛନ୍ତି। ଏହାସହ ଏଭଳି ଏକ ସିନେମାକୁ ପରଦାକୁ ଆଣିଥିବାରୁ ସେ ଚାରିକାନ୍ଧର ଟିମର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି । 

 ଆମେ ଶୁଣିଛେ ସିନେମା ସମାଜକୁ ସୁନ୍ଦର ବାର୍ତ୍ତା ଦେଇଥାଏ। ଏହା ଆଜି ପ୍ରମାଣିତ ହୋଇଛି। ବିଭୁ ପ୍ରସାଦଙ୍କ ଭଳି ଶିକ୍ଷିତ ଯୁବକ ସମାଜର କଲ୍ୟାଣ ପାଇଁ ଆଗେଇ ଆସିଲେ ଚାରିକାନ୍ଧର ଅଭାବ ରହିବ ନାହିଁ କି ପାର୍ଥିବ ଶରୀର ପ୍ରତି ଅସମ୍ମାନ ହେବ ନାହିଁ। ରିତୁପ୍ରିୟା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି ଭାରତର ପ୍ରଥମ ମଧ୍ୟମ ଅବଧି ଚଳଚ୍ଚିତ୍ର ‘ଚାରିକାନ୍ଧ’ । ଓଡ଼ିଶାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଦେଶ ବିଦେଶରେ ବେଶ୍ ଆଦୃତ ଲାଭ କରିଛି । 

ସୂଚନା ଅନୁସାରେ, ‘ଚାରିକାନ୍ଧ’ର ପ୍ରଯୋଜକ ଅତିଶ କୁମାର ରାଉତ ରହିଥିବାବେଳେ ଲେଖକ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଶ୍ୱନାଥ ରଥ। ଅଭିନୟରେ ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା, ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଡ଼ଙ୍ଗି ପ୍ରମୁଖ ରହିଛନ୍ତି । ୩୭ ମିନିଟର ଏହି ଫିଲ୍ମଟି ୪୬ରୁ ଅଧିକ ଜାତୀୟ ଓ ୨୨ରୁ ଅଧିକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ଅନେକ ବର୍ଗରେ ପୁରସ୍କୃତ ହୋଇଛି ।