"ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା"ଏହି ଅଭିଯାନକୁ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୯/୭ : ଓଡିଶାର ପୁରୀ ଜିଲ୍ଲାରେ ହେଉଥିବା ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ଅଟେ। ଏହି ସମୟରେ ସାରା ଭାରତରୁ ଲୋକେ ଆସିଥାନ୍ତି। ଭାରତ ବାହାରୁ ବହୁତ ଭକ୍ତ ଆସିବାର ନଜିର ମଧ୍ୟ ରହିଛି। ଏହି ରଥଯାତ୍ରା ସମୟରେ ବାହୁଡା଼ ଯାତ୍ରା ଓ ସୁନାବେଶ ଲଗାତାର ଭାବେ ଦୁଇଦିନ ପଡ଼ିଥାଏ। ଯାହା ପାଇଁ ପୁରୀ ସହରର ସବୁ ସ୍ଥାନରେ ଜନ ଗହଳି ଲାଗି ରହିଥାଏ। ପୁରୀ ସମୁଦ୍ର କୁଳକୁ ସ୍ବର୍ଣ୍ଣିମ ବେଳାଭୂମିର ଆଖ୍ୟା ଦିଆଯାଇଛି। ଏହି ରଥ ଯାତ୍ରା ସମୟରେ ଯାତ୍ରୀମାନେ ସମୁଦ୍ର କୁଳରେ ସମୟ ଅତିବାହିତ କରନ୍ତି। ବିଭିନ୍ନ ପ୍ରକାରର ଖୁସି ମନାଇଥାନ୍ତି ଯାହା ପାଇଁ ପରିବେଶ ଦୂଷିତ ହୋଇଥାଏ।
ଯାହାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଏହି ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ପୁରୀରେ ଭିନ୍ନ ଭିନ୍ନ ସେବା କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହି ଆସିଛି। ଆଜି ବାହୁଡ଼ା ଯାତ୍ରା ଓ ସୁନାବେଶ ପର ଦିନ ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି। ଆଜିର କାର୍ଯ୍ୟକ୍ରମର ବାର୍ତ୍ତା ଥିଲା "ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା"।
ଆଜି ସମୁଦ୍ରକୂଳ ସାଫେଇ ପରେ ଏହି ବାର୍ତ୍ତା ସାଧାରଣ ଲୋକ ଙ୍କୁ ଦିଆଯାଇଥିଲା। ଆମେ ବଦଳିଲେ ସମାଜ ବଦଳିବ, ସମାଜ ବଦଳିଲେ ଦେଶ ସୁଧୁରିବ ବୋଲି ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର ମତ ଦେଇଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସଂପାଦକ ରାଜେଶ ବାରିକ, କେଦାର ସ୍ବାଇଁ, ରାକେଶ ବଳ, ହେମନ୍ତ ସାମଲ, କବିତା ବାରିକ୍, ସୁରେଶ ଦାଶ, ସୌମ୍ୟ ରଞ୍ଜନ ପରିଡା, ଆକାଶ ଦାସ ଓ ମନୋଜ ନାୟକ ଉପସ୍ଥିତ ଥିଲେ।