ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ଅଫିସିଆଲ୍ ଫେସ୍ ଏବଂ ବ୍ରାଣ୍ଡ ଆମ୍ବାସଡ଼ର ହେଲେ ଡାକ୍ତର ସାଇପ୍ରସନ୍ନା ବେହେରା

ଭୁବନେଶ୍ୱର,୧୮/୭ : ପୁଣି ଥରେ ବିଦେଶ ମାଟିରେ ଓଡିଶାର ଟେକ ରଖିଛନ୍ତି ଓଡିଶା ବୋହୂ ଡାକ୍ତର ସାଇପ୍ରସନ୍ନା ବେହେରା । ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲରେ ପ୍ରତିଯୋଗୀରୁ ଯାତ୍ରା ଆରମ୍ଭ କରି ମୁକୁଟ ଧାରଣ କରିବା ସହ ପ୍ରଥମ ଭାରତୀୟ ଭାବେ ସେ ୨୦୨୫-୨୭ ବର୍ଷ ପାଇଁ ମିସେସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ଅଫିସିଆଲ୍ ଫେସ୍ ଏବଂ ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ ହୋଇଛନ୍ତି ଡାକ୍ତର ସାଇପ୍ରସନ୍ନା ବେହେରା । ୨୦୨୩-୨୪ରେ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗୀତାରେ ଜଣେ ପ୍ରତିଯୋଗୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ ସାଇ । ସେହି ବର୍ଷ ବିଜେତା ହେବା ପରେ ଉତ୍କର୍ଷତା ଏବଂ ସୌନ୍ଦର୍ଯ୍ୟରେ ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ । ଏହାସହ ପ୍ରଥମଥର ପାଇଁ ଡାକ୍ତର ସାଇପ୍ରସନ୍ନା ବେହେରା ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୪-୨୫ ଭାବରେ ପୁନଃ ମୁକୁଟ ଧାରଣ କରି ଓଡିଶା ପାଇଁ ଗର୍ବ ଗୌରବ ଆଣିଥିଲା ।
ଏବେ ତାଙ୍କ ଯାତ୍ରାରେ ଆଉ ଏକ ପାଦ ଆଗେଇ ସେ ୨୦୨୫-୨୭ ବର୍ଷ ପାଇଁ ମିସେସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି । ଏହି ଅଭୂତପୂର୍ବ ସମ୍ମାନ ଲାଭ କରିବା ସହିତ ପ୍ରତିଯୋଗୀରୁ ବିଜେତା ହୋଇ ପ୍ରତିନିଧତ୍ୱ କରିବାରେ ସେ ପ୍ରଥମ ବ୍ୟକ୍ତିତ୍ୱ ପାଲଟିଛନ୍ତି । ଏହି ସମ୍ମାନଜନକ ଉପାଧିରେ ସମ୍ମାନିତ ହୋଇଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ । ତାଙ୍କର ସଫଳତା ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ, ଦୃଢ଼ତା ଏବଂ ଉତ୍କର୍ଷତାର ଏକ ଶକ୍ତିଶାଳୀ ପ୍ରତୀକ । ନାରୀ ସଶକ୍ତିକରଣ ଏବଂ ସୌନ୍ଦର୍ଯ୍ୟର ଏକ ପ୍ରକୃତ ପ୍ରେରଣାଦାୟକ ପ୍ରତିଛବି ପାଲଟିଛନ୍ତି ଡାକ୍ତର ସାଇପ୍ରସନ୍ନା ବେହେରା ।