ମାଟ୍ରିକ ଟପ୍ପରଙ୍କୁ ମିଳିଲା ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୫

ଭୁବନେଶ୍ବର,୨୯/୬ : ସମାଜର ପ୍ରଗତି ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଓ ମେଧାବୀ ଛାତ୍ରଛାତ୍ରୀମାନେ ଏହାର ନେତୃତ୍ୱ ନେଇଥାନ୍ତି। ଓଡ଼ିଶାର ସେହି ମେଧାବୀ ପ୍ରତିଭାଙ୍କୁ ସମ୍ୱର୍ଦ୍ଧିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୫ । ଚଳିତ ବର୍ଷ ୫ମ ମେଧାବୃତ୍ତି ଅବସରରେ ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୫ ପ୍ରଦାନ କରାଯାଇଛି।
ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଚଳିତ ବର୍ଷର ମାଚ୍ରିକ ଟପ୍ପରଙ୍କୁ ମିଳିଛି ଏହି ମେଧାବୃତ୍ତି ପୁରସ୍କାର। କଟକ ଜିଲ୍ଲା ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚନ୍ଦନ ମହାନ୍ତ ଓ ବରଗଡ଼ ଜିଲ୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ଯୁଗ୍ମ ଭାବେ ମାଟ୍ରିକ ଟପ୍ପର ହୋଇଥିବାବେଳେ ଉଭୟଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି। ପୁରସ୍କାର ରାଶି ସ୍ବରୂପ ଚନ୍ଦନ ଓ ବବିତାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ମିଳିଛି । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ଏହି ମେଧାବୃତ୍ତି ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଓ ଶିକ୍ଷାବିତ୍ ଦାସ ବେନହୁର ଯୋଗଦେଇ ସମାଜ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। କୃତୀ ଛାତ୍ରଛାତ୍ରୀଙ୍କ ଏଭଳି ମେଧାବୃତ୍ତି ଦେଇ ଶିକ୍ଷାକୁ ଆଗେଇ ନେବାରେ ସତ୍ୟ ସୁତାରଙ୍କ ଏଭଳି ମହତ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ବିଶିଷ୍ଟ ସମାଜସେବୀ ନମ୍ରତା ଚଢା, ଶିକ୍ଷାବିତ୍ ନିରଞ୍ଜନ ପାଣି, ବରିଷ୍ଠ ସାମ୍ବାଦିକ ସଞ୍ଜିବ କୁମାର ମହାପାତ୍ର , ଆଇଏମବି ନିର୍ଦ୍ଦେଶକ ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇ "ଶିକ୍ଷା ହିଁ ସମାଧାନ" ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଶେଷରେ ସତ୍ୟ ସୁତାରଙ୍କ ଏଭଳି ପଦକ୍ଷେପ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରେରଣା ଦେବ ବୋଲି ଯୋଗଦେଇଥିବା ଅତିଥିମାନେ କହିଥିଲେ। କୃତୀ ଛାତ୍ରଛାତ୍ରୀମାନେ ସତ୍ୟ ସୁତାରଙ୍କ ଏଭଳି ମହତ ପ୍ରୟାସକୁ ପ୍ରଶଂସା କରିବା ସହ ଏହି ସମ୍ୱର୍ଦ୍ଧନା ଆଗକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଡ.ତ୍ରିଲୋଚନ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ସିଙ୍ଗାପୁର ସ୍ଥିତ ଫୁଡ ଏମ୍ପାୟାର ହୋଲଡିଂ ଏଲଟିଡିର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସେ ରାଜ୍ୟର ମାଟ୍ରିକ ଟପ୍ପରଙ୍କୁ ଗତ ୫ବର୍ଷ ଧରି ଏହି ମେଧାବୃତ୍ତି ପ୍ରଦାନ କରୁଛନ୍ତି ।