ରଥଯାତ୍ରା : ସରକାରଙ୍କ ବାକ୍ୟ ହେଲା ସତ୍ୟ, ଦିବ୍ୟ ନୁହେଁ - ଦଳାଚକଟା ଅନୁଭୂତି ନେଇ ଫେରିଲେ ଭକ୍ତ …

ରଥଯାତ୍ରା : ସରକାରଙ୍କ ବାକ୍ୟ ହେଲା ସତ୍ୟ, ଦିବ୍ୟ ନୁହେଁ - ଦଳାଚକଟା ଅନୁଭୂତି ନେଇ ଫେରିଲେ ଭକ୍ତ …

ଭୁବନେଶ୍ବର,୧/୭ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ । ବୈଠକ ପରେ ବୈଠକ କଲେ ସରକାର। ଉତ୍ତର ଆସିଲା ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବୁ । ମାତ୍ର ଚଳିତ ବର୍ଷ ରଥଯାତ୍ରା ଯିଏ ଅନୁଭବ କରିଛି ସେ ଜାଣିଛି । ଯିଏ ଦେଖିଛି ତା’ପାଇଁ ଅବିସ୍ମରୀୟ ଆଉ କିଛି ନାହିଁ । ସରକାରଙ୍କ ଉକ୍ତି ଯେପରି ସତ ହୋଇଛି ଲାଗୁଛି । ନିଜ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତକୁ ସାଙ୍ଗରେ ଧରି ଫେରିଥିବା ଭକ୍ତ କୁହନ୍ତି । 

ସରକାରଙ୍କ ବାହାସ୍ଫୋଟ ଏବେ ପଦାରେ ପଡ଼ିଛି । ରଥଯାତ୍ରାର ଅଘଟଣ ସବୁ କିଛି ବାହାରକୁ ଆଣିଛି । ସରକାରଙ୍କ ବାଣୀ ଥିଲା ଚଳିତ ବର୍ଷ ରଥଯାତ୍ରା ଅଘଟଣ ଶୂନ୍ୟ ହେବ । ଦିବ୍ୟ ଅନୁଭବ ନେଇ ଫେରିବେ ଭକ୍ତ। ଚଳିତବର୍ଷର ରଥଯାତ୍ରା ଏକ ଉଦାହରଣ ହେବ। ଏଭଳି ପ୍ରସ୍ତୁତି ସରକାର କରିଥିବା କହିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୌରସଂସ୍ଥାର ଟାଉନ୍‌ ହଲରେ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ କହିଥିଲେ , ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମ ସଂସ୍କୃତିର ସବୁଠାରୁ ଗୌରବମୟ ପରିଚୟ। କୋଟି କୋଟି ଲୋକଙ୍କ ଭାବାବେଗ ଏଥିରେ ଜଡ଼ିତ। ତେଣୁ ଏହାର ସୁପରିଚାଳନା କେବଳ ଏକ ସରକାରୀ ଦାୟିତ୍ୱ ନୁହେଁ, ବରଂ ଏକ ପବିତ୍ର କର୍ତ୍ତବ୍ୟ। 

କିନ୍ତୁ ରଥଯାତ୍ରା ଦିନରୁ ହିଁ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ରାଜ୍ୟ ସରକାର । ବ୍ୟାକଫୁଟରେ ସରକାରଙ୍କ ଇମେଜ । ରଥଯାତ୍ରାରେ ଦେଖାଦେଇଥିବା ବିଭିନ୍ନ ଘଟଣା ବିରୋଧୀଙ୍କୁ ଶକ୍ତିଶାଳୀ କରିଛି । ସରକାରଙ୍କ ଇମେଜ ଏବେ ଡ୍ୟାମେଜ ଅବସ୍ଥାରେ। ରଥଯାତ୍ରାର ରଥ ଗଡ଼ିଥିଲା ସତ । କିନ୍ତୁ ବଳଭଦ୍ରଙ୍କ ରଥ ଗଡ଼ିବା ମାତ୍ରକେ ସରକାରଙ୍କ ସବୁ ପ୍ରସ୍ତୁତି ଜଳଜଳ ହୋଇ ପଦାକୁ ଆସିଥିଲା । ଭିଡ଼ ମ୍ୟାନେଜମେଣ୍ଟ ପୁରା ଢିଲା କହିଲେ ଚଳେ । ସବୁ ବୈଠକର ବ୍ଲୁ ପ୍ରିଣ୍ଟ ପଦାରେ ପଡ଼ିଥିଲା । ଦଳଚକଟାରେ ୬୦୦ରୁ ଅଧିକ ଭକ୍ତ ଆହତ ହୋଇଥିବା ଦେଖାଦେଇଥିଲା । ତା’ଠାରୁ ଆଉ ଅଧିକ ଦିବ୍ୟ ଅନୁଭୁତି କେମିତି ଦେଇଥାନ୍ତେ ସରକାର । ସତରେ ଏହା ଦିବ୍ୟ ଅନୁଭୂତି ଥିଲା । ଏହାପରେ ଆରମ୍ଭ ହୋଇଥିଲା ନନ୍ଦିଘୋଷ ରଥ ଗଡ଼ିବା ଘଟଣାକୁ ନେଇ । ରାତି ହୋଇଥିଲେ ମଧ୍ୟ ବିଦ୍ଧି ରକ୍ଷା ପାଇଁ ରଥ ଗଡ଼ିଥିଲା । ଯାହା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲା । ସିଧା ସଳଖ ରାଜ୍ୟ ସରକାରଙ୍କ ମ୍ୟାନେଜମେଣ୍ଟ ଉପରେ ଉଠିଥିଲା ଅଙ୍ଗୁଳି । ବାସ୍ ତା’ପରେ ଆଉ କ’ଣ ସରକାର ଓ ବିରୋଧିଙ୍କ ମଧ୍ୟରେ ଲାଗିଥିଲା କାଦୁଅ ଫିଙ୍ଗାଫିଙ୍ଗି । 

ଏହି ଘଟଣା ପରେ ଶ୍ରୀକ୍ଷେତ୍ରରେ ରଥାରୂଢ଼ ବିଶ୍ବନିୟନ୍ତାଙ୍କ ଦର୍ଶନ କରିବାକୁ ଆସି ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଲେ । ଏହାସହ ୧୫ରୁ ଅଧିକ ଆହତ ହୋଇଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପର୍ଯ୍ୟାପ୍ତ ପୁଲିସ ନଥିଲେ। ଫଳରେ ଦୁଇ ଜଣ ମହିଳା ଓ ଜଣେ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ପରେ ଏବେ ମନକୁ ପ୍ରଶ୍ନ ଆସୁଛି କେଉଁଆଡ଼େ ଗଲେ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ଦେଇଥିବା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ । 

ସୁରକ୍ଷା ବ୍ୟବସ୍ଥା ଯଦି କହିବା ତେବେ ସମ୍ପୂର୍ଣ୍ଣ ଢିଲା ଥିବା ଦେଖାଯାଇଛି । ଡିଜିପି କହିଥିଲେ ଶ୍ରୀକ୍ଷେତ୍ର ମୋଟ୍‌ ୨୭୫ଟି ସିସିଟିଭି ନଜରରେ ରହିବ। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଠାରୁ ପୁରୀ ଏବଂ ପୁରୀ ଠାରୁରୁ କୋଣାର୍କ ପର୍ଯ୍ୟନ୍ତ ସିସିଟିଭି ଖଞ୍ଜା ଯାଉଛି। ଲାଇଭ୍‌ ଫିଡ୍‌ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍‌ରୁ କଣ୍ଟ୍ରୋଲ ହେବ। ଟ୍ରାଫିକ୍‌ ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ଓ ଆଣ୍ଟି ଡ୍ରୋନ୍‌ ବି କାମ କରିବ। ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଆକାଶ ମାର୍ଗରୁ ଏରିୟଲ ସର୍ଭେ କରାଯିବ, ତୀକ୍ଷ୍‌ଣ ନଜର ରଖାଯିବ। ଉପକୂଳରେ ତଟରକ୍ଷୀ, ମେରାଇନ ପୁଲିସ ପାଟ୍ରୋଲିଂ କରିବେ। ମୋଟ ୧୦ ହଜାର ପୁଲିସ ଫୋର୍ସ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିବେ।  

ଏବେ ସାଧାରଣରେ ପ୍ରଶ୍ନ କେଉଁଆଡ଼େ ଗଲା ଏତେ ସବୁ ସୁରକ୍ଷା । ବୈଠକରେ କ’ଣ ଆଲୋଚନା ହେଉଥିଲା । କେବଳ ଗଣମାଧ୍ୟମରେ ବାହାସ୍ଫୋଟ ମାରି ସରକାର ଆଜି ଭକ୍ତଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅନୁଭବ ହେଉଛନ୍ତି । ଯେମିତି ଲାଗୁଛି ଏହା ଥିଲା ଏକ ଯୋଜନା ବଦ୍ଧ ହତ୍ୟା କରିବାର ଷଡ଼ଯନ୍ତ୍ର ।