ନିଜ ବିଦ୍ୟାଳୟକୁ ନିଜେ ସଫା କରିବା : ରାଜ୍ୟପାଳ
ଭୁବନେଶ୍ବର, ୨୧/୫ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସର ରାଜ୍ୟ ପୁରସ୍କାର ଉତ୍ସବ ଗୁରୁବାର ୧୦.୩୦ଟା ସମୟରେ ଲୋକଭବନର ନୂଆ ଅଭିଷେକ ହଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ପୂର୍ଣ୍ଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦୦ରୁ ଊର୍ଦ୍ଧ୍ୱ ସ୍କାଉଟ୍, ଗାଇଡ୍, ରୋଭର, ରେଞ୍ଜର, କବ୍, ବୁଲ୍ବୁଲ୍, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ସମସ୍ତ ଶିକ୍ଷା ପଦାଧିକାରୀ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ ।
ଉକ୍ତ ସମାରୋହରେ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ମାନ୍ୟବର ରାଜ୍ୟପାଳ ଡଃ.ହରିବାବୁ କମ୍ଭମପାଟି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାତି ଓ ଜନଜାତି ଉନ୍ନୟନବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ର ଏବଂ ରାଜ୍ୟ କମିଶନର (ଗାଇଡ୍) ଡଃ.ସିପ୍ରା ନାୟକ, ଶୁଭଶ୍ରୀ ନନ୍ଦ ରାଜ୍ୟ କମିଶନର (ଆଡଲ୍ଟରିସୋର୍ସ) ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ.ମିଶ୍ର ସ୍ୱାଗତ ଭାଷଣରେ ରାଜ୍ୟ ଶାଖା ଆନୁକୂଲ୍ୟରେ ବିଗତ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ବିଭିନ୍ନ ସେବା ତଥା ଗୋଷ୍ଠୀ ଉନ୍ନୟନମୂଳକ କାର୍ଯ୍ୟ ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଉତ୍କର୍ଷତା ବଜାୟ ରଖିଥିବା ବିଷୟରେ ରାଜ୍ୟପାଳ ମହୋଦୟଙ୍କୁ ଅବଗତ କରାଇଥିଲେ ।ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍କାଉଟ ଗାଇଡ ଶିକ୍ଷା ବିଭାଗର ଏକ ଅଂଶ ଏବଂ ବଳିଷ୍ଠ ନେତୃତ୍ୱ ଲାଗି ଆଜି ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଥିବାରୁ ଖୁସି ବ୍ୟକ୍ତ କରିବା ସହ ଶୃଙ୍ଖଳା ଜ୍ଞାନ, ସହଯୋଗ ମନୋବୃତ୍ତିକୁ ଶଳି ଏବଂ ସୁସ୍ଥ ନାଗରିକ ଗଢ଼ି ତୋଳିବାରେ ସ୍କାଉଟ ସଂଗଠନର ଭୂମିକା ଅନେକ ବୋଲି କହିଥିଲେ।
ମାନ୍ୟବର ରାଜ୍ୟପାଳ, ଭାରତ ସ୍କାଉଟସ୍ ଓ ଗାଇଡସ ଭଳି ଏକ ବୃହତ ସ୍ୱେଚ୍ଛାସେବୀ ସଂଗଠନ ଅତୀତରେ ବହୁ ସେବାମୂଳକ କାର୍ଯ୍ୟ ନିର୍ବାହ କରି ପୃଥିବୀରେ ସର୍ବ ବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ନିଜର ସ୍ଥିତି ବଜାୟ ରଖି ପାରିଛି, ବନ୍ୟାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ସେବା ଯୋଗାଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି ଆଉ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାକୁ ଅତୁଟ ରଖିବ ବୋଲି ଆଶାବ୍ୟକ୍ତ କରିଥିଲେ। ଶେଷରେ କୁନି କୁନି ପିଲାମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲା ସ୍କାଉଟ ଗାଇଡ ସମାବେଶ ପାଇଁ ଏବଂ ସ୍କାଉଟଗାଇଡ୍ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଏବଂସ୍କାଉଟମାଷ୍ଟର, ଗାଇଡ୍ କ୍ୟାପଟେନ ମାନଙ୍କୁ ମାନ୍ୟବର ରାଜ୍ୟପାଳ ପୁରସ୍କୃତ କରିଥିଲେ।

Editor 


