ପ୍ରଶଂସା ଭଳି ସମାଲୋଚନାକୁ ମୁଁ ସାଦରେ ଗ୍ରହଣ କରିନିଏ

ପ୍ରଶଂସା ଭଳି ସମାଲୋଚନାକୁ ମୁଁ ସାଦରେ ଗ୍ରହଣ କରିନିଏ

 

o୧୮ରୁ ଲେଖାଲେଖି ଆରମ୍ଭ କରିଥିଲେ । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ପଢିଲା ବେଳୁ ପଢ଼ା ବିଷୟ ଉପରେ ବହି ନ ଆଣି ପ୍ରିୟ ଗାଳ୍ପିକ / ଔପନ୍ୟାସିକଙ୍କ ବହିମାନ ଆଣି ପଢ଼ୁଥିଲେ । ପଢ଼ିବା ଅଭ୍ୟାସ ସବୁଦିନ ଥିଲେ ବି, ସେ ଲେଖିପାରି‌ବେ ବୋଲି କିଛି ବର୍ଷ ତଳେ ହିଁ ଜାଣିଲେ । ଏବେ ଲେଖିବା ତାଙ୍କ' ନିଶା ' ପାଲଟିଗଲାଣି ପ୍ରତିଦିନ ଦୁଇ ଧାଡ଼ି ହେଉନା କାହିଁକି ସେ କିଛି ଲେଖିଥାନ୍ତି । ସାହିତ୍ୟିକା ଶ୍ରୁତକୀର୍ତ୍ତି ତ୍ରିପାଠୀଙ୍କ ସହ ‘ଓଡ଼ିଶା ଅପଡେଟ’ର ସ୍ବତନ୍ତ୍ର ଆଳାପ ।

 

ଆପଣ କେବେଠାରୁ ଲେଖିବା ଆରମ୍ଭ କଲେ ?

ଲୋକଙ୍କର ପ୍ରଶ୍ନ ' କଣ କରନ୍ତି ଆପଣ?' ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ୨o୧୮ ରୁ ଲେଖାଲେଖି ଆରମ୍ଭ କରିଥିଲି l ଯଦିଓ ପଢ଼ାପଢ଼ି ଅଭ୍ୟାସ ମୋର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ରେ ପଢିଲା ବେଳରୁ ଥିଲା l ଲାଇବ୍ରେରୀରୁ ମୋର ପଢ଼ା ବିଷୟ ଉପରେ ବହି ନ ଆଣି ମୋ ପ୍ରିୟ ଗାଳ୍ପିକ / ଔପନ୍ୟାସିକଙ୍କ ବହିମାନ ଆଣି ପଢ଼ୁଥିଲି l ପଢ଼ିବା ଅଭ୍ୟାସ ସବୁଦିନ ଥିଲେ ବି, ମୁଁ ଯେ ଲେଖିପାରିବି ଏ ବିଷୟରେ କିଛି ବର୍ଷ ତଳେ ହିଁ ଜାଣିଲି l

 ଲେଖିବା ପାଇଁ କେଉଁଠାରୁ ପ୍ରେରଣା ମିଳେ ?

ସତ କହିବାକୁ ଗଲେ ବିଭିନ୍ନ ପତ୍ରପତ୍ରିକା, ପୁସ୍ତକ ଏବଂ ଖବରକାଗଜ ପଢ଼ି ହିଁ ମୋ ମନରେ ଲେଖିବାର ଭାବନା ଜାଗ୍ରତ ହୋଇଥିଲା l ପ୍ରଥମେ ଗଳ୍ପ, କବିତା ଫେସବୁକରେ  ଲେଖୁଥିଲି l ପାଠକଙ୍କ ଭଲପାଇବା ଏବଂ ପ୍ରେରଣାଦାୟୀ ମତାମତ ପଢ଼ି ଲେଖିବାର ଏକ ଧାରା ସୃଷ୍ଟି ହେଲା l ଧୀରେ ଧୀରେ ପତ୍ରିକା ଓ ଖବରକାଗଜରେ ଲେଖାସବୁ ପ୍ରକାଶିତ ହେବା ଦ୍ଵାରା ଆହୁରି ଉତ୍ସାହିତ ହେଲି l ଏବେ ଲେଖିବା ମୋର ' ନିଶା ' ପାଲଟିଗଲାଣି l ପ୍ରତିଦିନ କିଛି ଲେଖେ, ସେ ଦୁଇ ଧାଡ଼ି ହେଉନା କାହିଁକି !

 ଗଳ୍ପ ଲିଖନ ପୂର୍ବରୁ କେମିତି ନିଜକୁ ପ୍ରସ୍ତୁତ କରନ୍ତି ? ନିଜର ସର୍ବଶ୍ରେଷ୍ଠ କୃତି ବିଷୟରେ କଣ କହିବେ ?

ଗଳ୍ପ ଲେଖିବା ପାଇଁ କୌଣସି ପ୍ରାକ୍ ପ୍ରସ୍ତୁତିରେ ଆବଶ୍ୟକତା ନ ଥାଏ l ଯାହା ଦେଖେ, ଅନୁଭବ କରେ ଆପେ ଶବ୍ଦର ରୂପ ନେଇ ମନକୁ ଆସିଯାଏ l ଯାହା ଥରେ ମନରେ ଭବାନ୍ତର ସୃଷ୍ଟି କରେ, ତାକୁ ନ ଲେଖିଲା ଯାଏ ଶାନ୍ତି ଲାଗେ ନାହିଁ l ମୋର ସର୍ବଶ୍ରେଷ୍ଠ କୃତି ବିଷୟରେ ପାଠକ କହିବେ, ତଥାପି ମୋର ଯେଉଁ ଗଳ୍ପଗୁଡ଼ିକ ଅଧିକ ଆଦୃତି ପାଇଛି, ତା ମଧ୍ୟରେ ଅଛି ' ଶୀତର ସେଇ ଶେଷ ରାତି ',  ' ଘରବାହୁଡା଼ ' ' ରସଗୋଲା ଓ ମାନଭଞ୍ଜନ ' l

 ପାଠକମାନଙ୍କ ସମାଲୋଚନା ମୂଳକ ମତାମତ ନିରୁତ୍ସାହିତ କରେ କି ?

ପାଠକଙ୍କ ନକାରାତ୍ମକ ମତାମତ ମୋତେ ବିଚଳିତ କରେ, ହେଲେ ଅପରପକ୍ଷେ ତାହା ଏକ ନୂଆ ଦିଗରେ ଭାବିବା ପାଇଁ ବାଟ ମଧ୍ଯ ଖୋଲିଦିଏ l ପ୍ରଶଂସା ଭଳି ସମାଲୋଚନାକୁ ମଧ୍ୟ ମୁଁ ସାଦରେ ଗ୍ରହଣ କରିନିଏ l ପାଠକଙ୍କ ପ୍ରତିଟି ସମାଲୋଚନାଭରା ମନ୍ତବ୍ୟ କୁ ସକାରାତ୍ମକ ରୂପେ ଗ୍ରହଣ କରି ନିଜର ଚିନ୍ତନ ଏବଂ ଲିଖନ ଶୈଳୀକୁ ଉନ୍ନତ କରିବାକୁ ଚେଷ୍ଟା କରେ l

 ଆପଣ ପଢିଥିବା ଦୁଇଟି ପ୍ରିୟ ପୁସ୍ତକର ନାମ କଣ  ?

ଓଡ଼ିଆ ସାହିତ୍ୟରେ ପଦ୍ମଶ୍ରୀ ପ୍ରତିଭା ରାୟଙ୍କ  ' ଯାଜ୍ଞସେନୀ ' ଏବଂ ମନୋଜ ଦାସ ଙ୍କ ' ମନୋଜଦାସଙ୍କ କଥା କାହାଣୀ ' ମୋର ପ୍ରିୟ ଦୁଇ ପୁସ୍ତକ l ଏହାକୁ ପଢିଲା ପରେ ହିଁ ମୋ ଭିତରେ ପଠନ ଇଚ୍ଛା ଜାଗ୍ରତ ହୋଇଛି l ଉଭୟଙ୍କ ରଚିତ ପ୍ରତିଟି ବହି ପ୍ରତି ମୋର ସବୁବେଳେ ଦୁର୍ବଳତା ରହିଛି l ସେମାନେ ହିଁ ଚିରଦିନ ମୋ ପାଇଁ ଆଦର୍ଶ ହୋଇ ରହିବେ l

 ସମୟ ସହିତ ସାହିତ୍ୟର ରୂପ ବଦଳୁଛି କି ? ବର୍ତ୍ତମାନର ସାହିତ୍ୟର ଗତି କେଉଁଆଡେ ?

ସମୟ ସହିତ ତାଳ ଦେଇ ସାହିତ୍ୟ ମଧ୍ୟ ରୂପ ବଦଳେଇଛି l ସାମ୍ପ୍ରତିକ ସାହିତ୍ୟ ବାସ୍ତବବାଦୀ, ଯେଉଁଥିରେ ସମାଜର ନିଚ୍ଛକ ବାସ୍ତବତା ଫୁଟିଉଠୁଛି l ପ୍ରାଚୀନ ସାହିତ୍ୟ ସମାଜକୁ ସଂସ୍କାର ଦେଉଥିଲା, ସମାଜକୁ ସକାରାତ୍ମକ ଉପଲବ୍ଧି ଦେଉଥିଲା l ବର୍ତ୍ତମାନରେ ସାହିତ୍ୟ ସମାଜର ଆନ୍ତରିକ ସ୍ୱରୂପକୁ ପ୍ରତିଫଳନ କରୁଛି l ଏହା ଆଗାମୀ ପିଢି ଙ୍କ ପାଇଁ ଶୁଭ ଲକ୍ଷଣ l ସମାଜରେ ସଙ୍କଟ ଦେଖାଗଲେ ସାହିତ୍ୟ ତାକୁ ଆହ୍ୱାନ ମନେକରି ତାର ସମାଧାନ କରୁ, ଏଭଳି ହେବା ଦରକାର ବର୍ତ୍ତମାନରେ ସାହିତ୍ୟ l

 ଶିଶୁ ଓ କିଶୋରମାନେ ପୁସ୍ତକ ପଠନ ପ୍ରତି ବିତସ୍ପୃହ କାହିଁକି ? ସେମାନଙ୍କୁ ସାହିତ୍ୟ ପ୍ରତି କିଭଳି ଆକର୍ଷିତ କରି ହେବ ?

ଶିଶୁ ସାହିତ୍ୟ ପ୍ରତି ଶିଶୁମାନେ ବିମୁଖ ହେବାର ମୁଖ୍ୟ କାରଣ ହେଲା ସେମାନଙ୍କ ପୁସ୍ତକ ପଠନ ପ୍ରତି ଅମନଯୋଗିତା l ପ୍ରଯୁକ୍ତି ବିଜ୍ଞାନରେ ଶିଶୁଗଣ ନିଜକୁ ଏମିତି ବୁଡେଇ ଦେଲେଣି ଯେ, ସାହିତ୍ୟ ପଠନ ପାଇଁ ତାଙ୍କ ପାଖରେ ସମୟ ନାହିଁ l ଏହା ପାଇଁ ଅନେକାଂଶରେ ପରିବାର ସଦସ୍ୟ ଏବଂ ଶିଶୁର ପରିବେଶ ମଧ୍ୟ ଦାୟୀ l ଶିଶୁମାନେ ଯଦି ମା ବାପାଙ୍କୁ ପଢ଼ିବା ଦେଖିବେ ନାହିଁ, ପଢ଼ିବା ଶିଖିବେ କେମିତି ? ପିଲାଦିନୁ ସେମାନଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ କରିବାର ଗୁରୁଦାୟିତ୍ୱ ବାପା ମାଆଙ୍କର l

ଶିଶୁସାହିତ୍ୟରେ ପ୍ରଚାର ଓ ପ୍ରସାର ପାଇଁ ପିଲାଦିନୁ ପିଲାଙ୍କୁ ଗପ ବହି ଠାରୁ ଆରମ୍ଭ କରି ପଞ୍ଚତନ୍ତ୍ର କାହାଣୀ, ରାମାୟଣ, ମହାଭାରତ, ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବେସିତ ବହି ଯୋଗେଇବା ସହିତ ପଢ଼ିବାକୁ ଉତ୍ସାହିତ କରିବାକୁ ହେବ l ମୁଁ ବ୍ୟକ୍ତିଗତ ଭାବରେ ଯେତେବେଳେ ବି ପିଲାମାନଙ୍କ ଗହଣକୁ ଯାଏ, ତାଙ୍କୁ ଶିଶୁମାନଙ୍କ ଉପରେ ଆଧାରିତ ପତ୍ରପତ୍ରିକା, ଗୀତ ଏବଂ ଗପବହି ଦେଇ ପଢ଼ିବାକୁ ଉତ୍ସାହିତ କରେ l

 ଗଣମାଧ୍ୟମ ଦ୍ୱାରା ସାହିତ୍ୟର ପ୍ରଚାର ପ୍ରସାର ସମ୍ଭବ କି ? ଯୁବ ଲେଖିକା/ଲେଖକଙ୍କୁ କଣ ବାର୍ତ୍ତା ଦେବେ ?

ଖବରକାଗଜ, ଟେଲିଭିଜନ ଏବଂ ରେଡ଼ିଓରେ ମଧ୍ୟ ଏବେ ସାହିତ୍ୟ ପ୍ରଚାର ପ୍ରସାର ଆରମ୍ଭ ହୋଇଛି l ବିଶେଷ କରି ଯୁବପିଢ଼ି ଙ୍କୁ ସୋସିଆଲ ମିଡିଆରେ ସାହିତ୍ୟ ଆକୃଷ୍ଟ କରିପାରିଛି ଏବଂ ଅନେକ ନୂଆ ପ୍ରତିଭା ନିଜର ସୃଷ୍ଟିକୁ ସମସ୍ତଙ୍କ ଲୋକଲୋଚନକୁ ଆଣିବା ପାଇଁ ସମର୍ଥ ହେଉଛନ୍ତି l

ନୂତନ ଯୁବ ଲେଖକ / ଲେଖିକାଙ୍କୁ କହିବି ଯେ ଲେଖିଲାବେଳେ ବିଷୟବସ୍ତୁ ଉପରେ ଧ୍ୟାନ ଦିଅନ୍ତୁ l ଅଧିକ ଲେଖିବା ଅପେକ୍ଷା ଉତ୍କୃଷ୍ଟ ଲେଖିବାକୁ ଚେଷ୍ଟା କରନ୍ତୁ l ଆମ ପ୍ରାଚୀନ ସାହିତ୍ୟକୁ ପଢନ୍ତୁ, ତା ପରେ ସାହିତ୍ୟକୁ ଆୟତ୍ତ କରିବାର କଳା ଆପେ ତାଙ୍କ ପାଖକୁ ଆସିଯିବ l

 ସାମାଜିକ ଗଣମାଧ୍ୟମରେ ଲେଖାଯାଉଥିବା ସାହିତ୍ୟ ; ସାହିତ୍ୟ ପ୍ରତି ବିପଦ ସୃଷ୍ଟି କରୁନାହିଁ ତ ?

ସତ କହିବାକୁ ଗଲେ ମୋ କ୍ଷେତ୍ରରେ ଟିକେ ବ୍ୟତିକ୍ରମ ଘଟିଛି l ମୁଁ ସର୍ବପ୍ରଥମେ ସୋସିଆଲ ମିଡିଆରେ ହିଁ ଲେଖିବା ଆରମ୍ଭ କରିଥିଲି l ଧୀରେ ଧୀରେ ପାଠକଙ୍କ ଭଲ ପାଇବା ମିଳିଲା ଏବଂ ମୋ ଗଳ୍ପ, କବିତା, ପ୍ରବନ୍ଧ ; ପତ୍ରପତ୍ରିକା ଏବଂ ଖବରକାଗଜ ରେ ପ୍ରକାଶ ପାଇଲା l ସର୍ବପ୍ରଥମେ ' ମଧୁଲିତା ' ମ୍ୟାଗାଜିନ୍ ରେ ମୋର ଏକ ଗଳ୍ପ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା " ଦୋଷ କାହାର ? " ଆଶ୍ଚର୍ଯ୍ୟର କଥା ଏହା ପାଇଁ ମୋତେ ' ଗାଳ୍ପିକା ସମ୍ମାନ ' ମଧ୍ୟ ମିଳିଥିଲା l ଏହି ଖୁସିର ମୁହୂର୍ତ୍ତ ମୋର ଚିରସ୍ମରଣୀୟ ହୋଇ ରହିବ l

 ' ଗଳ୍ପ ' ' କବିତା ' କିଭଳି ହେବା ଉଚିତ ? କେଉଁ ଭଳି ସାହିତ୍ୟ ଲୋକଙ୍କ ଦ୍ୱାରା ଆଦୃତି ଲାଭ କରେ ?

ମୋ ମତରେ 'ଗଳ୍ପ ' ଏମିତି ହେବା ଉଚିତ ଯେମିତି ପଢ଼ୁଥିବା ବେଳେ ଗଳ୍ପର ପ୍ରତିଟି ଚରିତ୍ର, ଦୃଶ୍ୟ ଆଖିଆଗରେ ଭାସି ଉଠୁଥିବ l ଗଳ୍ପକୁ ପାଠକ ଅଙ୍ଗେ ନିଭେଇବା ଭଳି ଅନୁଭବ ହେଉଥିବ ଏବଂ ଗଳ୍ପଟି ଶେଷ ଯାଏଁ ପାଠକ କୁ ବାନ୍ଧି ରଖିବାର ସାମର୍ଥ୍ୟ ରଖୁଥିବ l

' କବିତା ' ଅଳ୍ପ ଶବ୍ଦରେ ଅନେକ କିଛି ପ୍ରକାଶ କରୁଥିବା ଦରକାର l ଦୀର୍ଘ କବିତା ଅପେକ୍ଷା ୧୫ - ୨o ଧାଡ଼ି ଥିବା କବିତା ଶ୍ରୋତା ଏବଂ ପାଠକ ମାନଙ୍କ ହୃଦୟକୁ ଯଦି ଛୁଇଁପାରିଛି ତା ହେଲେ ସେ କବିତା ଲିଖନ ସାର୍ଥକ ହୋଇଛି ବୋଲି ମୋର ନିଜସ୍ୱ ମତ l

ଆଦୃତି ପାଉ ଅବା ନ ପାଉ ସାହିତ୍ୟ ସୃଷ୍ଟି ହେଉଥାଉ l ଲୋକପ୍ରିୟତା ପଛରେ ନ ଗୋଡ଼େଇ ନିରନ୍ତର ଲିଖନ ଓ ପଠନ ସାହିତ୍ୟକୁ ସମୃଦ୍ଧ କରେ l କୌଣସି ସ୍ୱାର୍ଥ ନ ରଖି ସାହିତ୍ୟ ସର୍ଜନା କଲେ, ତାହା ଦିନେ ନା ଦିନେ ନିଶ୍ଚୟ ଆଦୃତି ପାଇବ, ଯଦିଓ ତା ପାଇଁ କିଛି ସମୟ ଲାଗିପାରେ l

 ????ଶ୍ରୁତକୀର୍ତ୍ତି ତ୍ରିପାଠୀ ????