ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ଖୁବଶୀଘ୍ର

ଭୁବନେଶ୍ୱର,୨୦/୮ : ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଓଡିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟାର ସନ୍ତୋଷ ଜଣକ ସମାଧାନ କରାଯିବ ବୋଲି ଗତ ୨୦ତାରିଖ ସନ୍ଧ୍ୟାରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ।
ରାଜ୍ୟରେ ବ୍ଲକଠାରୁ ସଚିବାଳୟ ପର୍ଯ୍ୟନ୍ତ ଦୀର୍ଘ ସେବା ଯୋଗାଇ ସରକାରଙ୍କ ବହୁ ବିଧ ଯୋଜନାର ସଫଳ ରୂପାୟନ କରୁଥିବା ସ୍ଵଳ୍ପ ବେତନଭୋଗୀ ଉଚ୍ଚ ଶିକ୍ଷିତ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାର୍ଚ୍ଚ ମାସ ୨୭ତାରିଖରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ଯକ୍ଷତାରେ ଓ ୫ଜଣ ବିଧାୟକଙ୍କୁ ନେଇ ଗଠିତ କରିଥିବା ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ନ ବସିବାରୁ ଓ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ତୁରନ୍ତ ବୈଠକ କରିବା ପାଇଁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଧାରାବାହିକ ଭାବେ ଆବେଦନ ନିବେଦନ କରାଯାଇ ଆସୁଥିଲା । ଗତ ୨୦ତାରିଖ ସନ୍ଧ୍ୟାରେ ସଂଘର ଶତାଧିକ କର୍ମଚାରୀ ନେତାଙ୍କୁ ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ବିଶେଷ କରି ଛଟେଇ ଆଦି ଉପରେ ଯୁଗାନ୍ତକାରୀ ନିଷ୍ପତ୍ତି ନେବାକୁ ସଙ୍କଳ୍ପ ବଦ୍ଧ ଅଛନ୍ତି ।
ଖୁବଶୀଘ୍ର ଆଉଟସୋର୍ସିଙ୍ଗ ମହାସଂଘର ପ୍ରତିନିଧ୍ ମଣ୍ଡଳୀ ଓ ମନ୍ତ୍ରୀ ସ୍ତରୀୟ କମିଟି ସହ ମୁଖ୍ୟମନ୍ତ୍ରୀଙ୍କର ଏକ ବୈଠକ ଅନୁଷ୍ଠିତ ହେବ ଓ ସମସ୍ୟାର ସମାଧାନ କରାଯିବ । ଭଟଲିର ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଆଲୋଚନାରେ ବିଶିଷ୍ଠ କର୍ମଚାରୀ ନେତା ବିଜୟ ମଲ୍ଲ, ସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଭାପତି ସଞ୍ଜୟ ପଟ୍ଟନାୟକ, ମହାସଚିବ ହେମନ୍ତ ବସ୍ତିଆ, ଯୁଗ୍ମ ସମ୍ପାଦକ ଦୀପକ ପାଣି, ଲୁଲୁ ସ୍ବାଇଁ, ବିଶ୍ବଜିତ ନାଥ, ଭୁବନେଶ୍ଵର ସଭାପତି ଦୀପକ ମହାପାତ୍ର, ସୂର୍ଯ୍ୟ ମହାପାତ୍ର ସମେତ ଶତାଧିକ କର୍ମଚାରୀ ନେତା ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।