ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର,୨୧/୮ : ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ୩୫ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି ପର୍ଯ୍ୟବେକ୍ଷକମାନଙ୍କ ସହିତ ଯୋଗାଯୋଗ ଓ ସମନ୍ୱୟ ରଖିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏକ ରାଜ୍ୟସ୍ତରୀୟ ସୃଜନ କମିଟି ଏବଂ ୱାର ରୁମ କମିଟି ଗଠନ କରିଛନ୍ତି ।
ଉପରୋକ୍ତ ଦୁଇ କମିଟି ମିଳିତ ଭାବେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସୃଜନ କମିଟିରେ ଅଧ୍ୟକ୍ଷ ଭାବେ ଡ. ଦେବାଶିଷ ପଟ୍ଟନାୟକ ରହିଥିବାବେଳେ ସହ ଅଧ୍ୟକ୍ଷ ଭାବେ ସୁଧାଂଶୁ ଶେଖର ଦେଓ ରହିଛନ୍ତି । ସେହିପରି ୱାର ରୁମ କମିଟିର ଅଧ୍ୟକ୍ଷ ଭାବେ ମନୋରଞ୍ଜନ ଦାଶ ରହିଥିବାବେଳେ ସଭ୍ୟ ଭାବରେ ତରୁଣ ମିଶ୍ର,ବାଙ୍କ ନିଧି ବେହେରା,ଶାନ୍ତନୁ କୁମାର ସାହୁ ଓ ଜୟଶ୍ରୀ ପାତ୍ର ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ଇସ୍ତହାରରେ କୁହାଯାଇଛି ।