ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଓଲିଉଡ୍ ଡ୍ରିମ୍ ଗାର୍ଲ ଅପରାଜିତା ମହାନ୍ତି

ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଓଲିଉଡ୍ ଡ୍ରିମ୍ ଗାର୍ଲ ଅପରାଜିତା ମହାନ୍ତି

ଭୁବନେଶ୍ବର,୧୩/୧ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବସନ୍ତ ନାୟକ ଫାଉଣ୍ଡେସନ ତରଫରୁ ଓଲିଉଡ଼ ଜଗତର ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରର ବାଦଶାହ ସ୍ବର୍ଗତ ବସନ୍ତ ନାୟକଙ୍କ ୯୦ତମ ଜନ୍ମ ବାର୍ଷିକୀ ସ୍ଥାନୀୟ ଜୟଦେବ ଭବନଠାରେ ଆସନ୍ତା ୧୬ ଜାନୁଆରୀରେ ପାଳିତ ହେବ l ସେହି ଅବସରରେ ଜୟଦେବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସାମ୍ବାଦିକ ସମ୍ମିଳନୀରେ ବସନ୍ତ ନାୟକଙ୍କ ସୁପୁତ୍ର ସଞ୍ଜୟ କୁମାର ନାୟକ (ଟୁଟୁ), ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ଗୀତିକାର ପଞ୍ଚାନନ ନାୟକ ଓ ବୋଉ ଫାଉଣ୍ଡେସନର ଅଧ୍ୟକ୍ଷ ଅତୀଶ ମହାନ୍ତି, ବରିଷ୍ଠ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ବସନ୍ତ ନାୟକ ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ ଜୀବନବ୍ୟାପୀ ସାଧନା ସମ୍ମାନରେ ଓଲିଉଡ଼ର ଡ୍ରିମ୍ ଗାର୍ଲ ଅପରାଜିତା ମହାନ୍ତିଙ୍କୁ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଥିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l 

ପ୍ରକୃତରେ ଓଡ଼ିଆ ପର୍ଦ୍ଦାର ସେ ଥିଲେ ଡ୍ରିମ୍ ମାର୍ଚେଣ୍ଟ। ଓଡ଼ିଆ ପାନାରୋମିକ୍ ସ୍କ୍ରିନ୍‌କୁ ସ୍ୱପ୍ନ ସହ କେତେ କେତେ ଉଜ୍ୱଳ ତାରକା ଅର୍ପିଥିବା ଓଡ଼ିଆ ଚଳଚ୍ଚିତ୍ରର ଚିରବସନ୍ତ ପ୍ରଯୋଜକ ବସନ୍ତ ନାୟକ। ଇତିହାସ ଆଡ଼େଇଲେ ଯେବେ ଡ୍ରିମ୍ ଗାର୍ଲ ଓ ଡ୍ରିମ୍ ମାର୍ଚେଣ୍ଟ ଏକାଠି ହୋଇଛନ୍ତି, ସେବେ ଓଡିଆ ଚଳଚ୍ଚିତ୍ରରେ ଯୋଡ଼ା ଆଷାଢ଼ ପଡ଼ିଛି। ଅପରାଜିତାଙ୍କ ଅଭିନୟ ଓ ବସନ୍ତ ନାୟକଙ୍କ ପ୍ରଯୋଜନାର ନବ ଦିଶା ଅଙ୍କିତ ହୋଇଛି। ଚୌରାଅଶିରୁ ଦୁଇ ହଜାର ନଅ ପର୍ଯ୍ୟନ୍ତ ପ୍ରାୟ ତିନି ଦଶକ ଧରି ପ୍ରଯୋଜନା ଓ ଅଭିନୟର ଏହି ଯୁଗଳବନ୍ଦୀରେ ଦର୍ଶକ ତଲ୍ଲୀନ ହୋଇଛନ୍ତି। 

ତେବେ ସ୍ୱପ୍ନ ସହ ସଂଯୁକ୍ତ, ସ୍ୱପ୍ନର ସୌଦାଗରଙ୍କ ଜନ୍ମ ଦିବସରେ ଡ୍ରିମ୍ ଗାର୍ଲ ଅପରାଜିତା ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ରେ ସମ୍ମାନିତ କରାଯିବା ସମ୍ବାଦ ସମସ୍ତଙ୍କୁ ଆନନ୍ଦିତ କରିଛି l ତେବେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ଦୁନିଆର ବାଦଶାହ ହୋଇଥିବାରୁ ବ୍ରଜରାଜ ମୁଭିଜର ଗୀତ ଗୁଡିକୁ ବିଭିନ୍ନ କଳାକାରମାନେ ନୃତ୍ୟ କରି ଦିବସଟିକୁ ସଙ୍ଗୀତ ଓ ନୃତ୍ୟମୟ କରି ମନୋରଞ୍ଜନ ଯୋଗାଇବେ l