୨୯ରେ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ : ମନମୋହନ ସାମଲ

୨୯ରେ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ : ମନମୋହନ ସାମଲ

ଭୁବନେଶ୍ୱର,୨୭/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକିଶିତ ହେବାରେ ଲାଗିଛି । ବିଜେପି ଏକାକୀ ରାଜ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ କରିବା ପରେ ମୋଦିଜୀ ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୯ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସିଧାସଳଖ ରାଜଭବନକୁ ଯିବେ ଏବଂ ସେଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ସେଠାରେ ଉପସ୍ଥିତ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବା ପରେ ତାଙ୍କ ସହ ରାତ୍ରଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଦିନ ଅର୍ଥାତ ୩୦ତାରିଖ ଦିନ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବେ । ଡିସେମ୍ବର ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ଶ୍ରୀ ସାମଲଙ୍କ ସମେତ ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ଅନେକ ପ୍ରମୁଖ ନେତୃବୃନ୍ଦ ଦଳୀୟ କାର୍ଯ୍ୟାଳୟରେ ପହଂଚି ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଛନ୍ତି ।