ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡ ଲୋକାରଣ୍ୟ

ପୁରୀ, ୧୭/୭ : ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ସୁନାବେଶରେ ଥାଇ ଦର୍ଶନ ଦେଉଛନ୍ତି। ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ।
ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ।
ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା ଖେଳିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ପାଦରୁ ମସ୍ତକ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ।
ମହାବାହୁଙ୍କୁ ମନଭରି ଦେଖିବାପାଇଁ ଆତୁର ଭକ୍ତ ବି ଏହି ଅପୂର୍ବ ରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଛି।