ଆଦିଲାବାଦ RIMS ଶିଶୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ, ନବଜାତ ମୃତ

ଭୁବନେଶ୍ୱର, ୨୨/୯ : ତେଲଙ୍ଗାନାର ଆଦିଲାବାଦର RIMS ହସ୍ପିଟାଲର SNCU (ନବଜାତ ଶିଶୁ ଯତ୍ନ କେନ୍ଦ୍ର) ରେ ଗତକାଲି ରାତି ୧୧:୫୦ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡ ଯୋଗୁଁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ଏସି ବିସ୍ଫୋରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି |

ଖବର ମୁତାବକ, ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ହସ୍ପିଟାଲର ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗିବା ସମୟରେ ୱାର୍ଡରେ ୨୩ ଜଣ ଶିଶୁ ଥିଲେ । ନିଆଁ ଲାଗିବା ପରେ ସମଗ୍ର ୱାର୍ଡ ଧୂଆଁରେ ଭରିଯାଇଥିଲା। ହସ୍ପିଟାଲ କର୍ମଚାରୀ ଓ ଶିଶୁମାନଙ୍କ ସମ୍ପର୍କୀୟମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଶିଶୁମାନଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତ୍ୟୁ କିମ୍ବା ଆହତଙ୍କ ସଂଖ୍ୟା ସମ୍ପର୍କରେ ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସାର୍ବଜନୀନ କରାଯାଇନାହିଁ । ନବଜାତ ଶିଶୁର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଆଦିଲାବାଦ ଟାଉନ୍ ଥାନାର SHO କେ. ନାଗରାଜୁଙ୍କ କହିବା ଅନୁସାରେ, ACରେ ସର୍ଟ ସର୍କିଟ୍ ଘଟଣାର ସମ୍ଭାବ୍ୟ କାରଣ ହୋଇପାରେ । ତେବେ ଘଟଣାର ପ୍ରକୃତ କାରଣ ବିସ୍ତୃତ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଅଗ୍ନିକାଣ୍ଡର ଖବର ପାଇ ଆଦିଲାବାଦ ଜିଲ୍ଲାପାଳ ରାଜର୍ଷି ଶାହ ଏବଂ ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଅଖିଲ ମହାଜନ ତୁରନ୍ତ RIMS ହସ୍ପିଟାଲରେ ପହଞ୍ଚିଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ପରେ ଅନ୍ୟ ଶିଶୁମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୋକ ପ୍ରକାଶ କରି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *