ଭୁବନେଶ୍ଵର, ୨୨/୯: ଶ୍ରୀଲଙ୍କାକୁ ହରାଇଲା ୱିମେନ୍ ଇନ୍ ବ୍ଲୁ । ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି । ୧୪୭ ରନର ବିରାଟ ବ୍ୟବଧାନରେ ହରମନପ୍ରୀତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶ୍ରୀଲଙ୍କା କୁ ହରାଇ ବିଜୟ ହାସଲ କରିଛି । ଏସୀୟ କ୍ରୀଡ଼ା ୨୦୨୬ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୧୪୭ ରନ୍ ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ଏହା ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୨୧୭ ରନର ବିରାଟ ଟାର୍ଗେଟ ଦେଇଥିଲା ।ଜାପାନର ନିଶିନ୍ ସ୍ଥିତ କୋରୋଗି ସ୍ପୋର୍ସ ପାର୍କରେ ଚାଲିଥିବା ମ୍ୟାଚରେ ଭାରତୀୟ ମହିଳା ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ପ୍ରାରମ୍ଭିକ ବ୍ୟାଟର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଥମ ୱିକେଟ୍ ପାଇଁ ଦୁହେଁ ୯୯ ରନର ଭାଗିଦାରି କରିଥିଲା । ଶେଫାଳି ୨୯ ଟି ବଲରେ ୪୮ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ ।ସେହିପରି ସ୍ମୃତି ମନ୍ଧାନା ୪୫ ଟି ବଲରେ ୭୯ ରନର ଦମଦାର ଇନିଂସ ଖେଳିଥିଲେ । ଅଧିନାୟକ ହରମନପ୍ରୀତ କୌର ୧୭ ବଲରେ ମାତ୍ର ୧୯ ରନ୍ କରିଥିଲେ । ରିଚା ଘୋଷଙ୍କ ବ୍ୟାଟ୍ ମଧ୍ୟ ଆଜି ଚାଲିଥିଲା । ମାତ୍ର ୨୨ଟି ବଲରେ ୪୯ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ । ୨୧୭ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ମହିଳା ଦଳ ଆରମ୍ଭରୁ ବିପର୍ୟ୍ୟର ଶିକାର ହୋଇଥିଲା । ଭାରତୀୟ ବୋଲରଙ୍କ ଜାଦୁ ଆଗରେ ବ୍ୟାଟ୍ ଚାଲିନଥିଲା । ୧୫.୪ ଓଭରରେ ଶ୍ରୀଲଙ୍କା ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶେଫାଳି ବର୍ମା, ଶ୍ରେୟଙ୍କା ପାଟିଲ ଏବଂ ଶ୍ରୀଚରଣି ଦୁଇଟି ଲେଖାଏଂ ୱିକେଟ୍ ହାସଲ କରିଛନ୍ତି । ଭାରତ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଶ୍ରୀଲଙ୍କା ରୌପ୍ୟ ଏବଂ ତୃତୀୟ ସ୍ଥାନରେ ଥିବା ପାକିସ୍ତାନକୁ କାଂସ୍ୟ ପଦକ ମିଳିଛି ।
ଏହା ସହ ଭାରତ ୨୦୨୩ ପରେ ଲଗାତାର ଦ୍ୱିତୀୟ ଥର ସ୍ୱର୍ଣ୍ଣ ଜିତିଲା।













Leave a Reply