ସମ୍ଭାବ୍ୟ ବାତ୍ୟା ପ୍ରଭାବ : ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସ୍କୁଲ ସବୁ ବନ୍ଦ

ଭୁବନେଶ୍ୱର, ୨୨/୯ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି।ଯାହାର ପ୍ରଭାବରେ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି | ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ସୁଦ୍ଧା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଆସି ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଅବପାତ ପୁରୀଠାରୁ ଦକ୍ଷିଣ-ପୂର୍ବରେ ୩୧୦କି.ମି ଦୂରରେ କେନ୍ଦ୍ରୀଭୂତ ହେଉଥିବା ବେଳେ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୩୧୦କି.ମି ଦୂରରେ ରହିଛି। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୩୯୦ କି.ମି ଏବଂ ବିଶାଖାପାଟଣାଠାରୁ ପୂର୍ବରେ ୪୭୦କି.ମି ଦୂରରେ କେନ୍ଦ୍ରୀଭୂତ ହେଉଛି। ସମ୍ଭାବ୍ୟ ଗଭୀର ଅବପାତ ବାତ୍ୟା ରୂପ ନେବ କି ନାହିଁ, ତାହା ଅଦ୍ୟାବଧି ଆଇଏମ୍‌ଡି ସ୍ପଷ୍ଟ କରିନାହିଁ। କିନ୍ତୁ ଆସନ୍ତା ୨୩ ଓ ୨୪ତାରିଖରେ ଦକ୍ଷିଣ, ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି। ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାର କୋରାପୁଟ, ଗଞ୍ଜାମ, ମାଲକାନଗିରି, କଳାହାଣ୍ଡି ଏବଂ ନବରଙ୍ଗପୁର ଏବଂ ଗଜପତି ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ପ୍ରଭାବରେ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆକାଶ ମେଘୁଆ ରହିବା ସହ ଝିପିଝିପି ବର୍ଷା ହୋଇଛି। ଅବପାତ ରୂପ ନେବା ପରେ ରାଜଧାନୀ ଭୁବନେଶ୍ବର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାକୁ ବିଜୁଳି ଘଡ଼ଘଡି ସହ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଦିଆଯାଇଛି।

ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 7 ଜିଲ୍ଲାର ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର ଓ ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ମାଲକାନଗିରିରେ ଆଜିଠାରୁ ୨୫ ତାରିଖ ଯାଏଁ ଛୁଟି ବାତିଲ ହେବା ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଛନ୍ତି ମାଲକାନଗିରି ଜିଲ୍ଲାପାଳ। ସେହିପରି ସତୀଗୁଡ଼ା, ବାଲିମେଳା ଜଳଭଣ୍ଡାରରେ ମାଛ ଧରିବା ବାରଣ କରାଯାଇଛି। ଜିଲ୍ଲାର ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜିଠାରୁ ୨୪ ଯାଏଁ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା।”

୨୨ରୁ ୨୪ ଯାଏଁ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା ସହିତ ହେଡ଼ କ୍ୱାର୍ଟର ନଛାଡିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ଆଜି ପାଇଁ ଜଗତସିଂହପୁର ଜିଲ୍ଲାର ସବୁ ସରକାରୀ ଓ ଘରୋଇ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ବି ଆଜିଠାରୁ ୨୪ ଯାଏଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପୁରୀ ଜିଲ୍ଲାରେ 23 ତାରିଖରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ବି ସମସ୍ତ ସ୍କୁଲ କଲେଜ ଛୁଚି ଘୋଷଣା।”

Leave a Reply

Your email address will not be published. Required fields are marked *