ଭୁବନେଶ୍ୱର, ୧/୧୦: ସୁଜିତ କୁମାର ରାଉଳଙ୍କୁ ଝଟକା । ପୁଣି ଖାରଜ ହେଲା ନିୟମିତ ଜାମିନ ଆବେଦନ । ପୂର୍ବରୁ ଚୌଦ୍ୱାର ସର୍କଲ୍ ଜେଲ୍ର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିବା ବେଳେ,ଏବେ କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ ଖାରଜ କରି ଦେଇଛନ୍ତି । ଜେଏମ୍ଏଫ୍ସି ଅଦାଲତରେ ଜାମିନ ଖାରଜ ହେବା ପରେ ସୁଜିତ ରାଉଳ ନିୟମିତ ଜାମିନ ପାଇଁ ଦୌରାଜଜ୍ ଅଦାଲତରେ ଆବେଦନ କରିଥିଲେ ।
ଚୌଦ୍ୱାର ସର୍କଲ୍ ଜେଲ୍ର ମିନିଟ୍ ବୁକ୍ ଓ ଅନ୍ୟାନ୍ୟ ରେକର୍ଡରେ ଜାଲିଆତି ଓ ହେର୍ଫେର୍ ଅଭିଯୋଗରେ ସୁଜିତ ରାଉଳ ଗିରଫ ହୋଇଥିଲେ । ଜାମିନ ଆବେଦନର ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସୁଜିତ ରାଉଳ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଥିବାବେଳେ ଅଭିଯୋଗକାରୀ ଜେଲର୍ ତାଙ୍କ ଅଧୀନସ୍ଥ ଅଧିକାରୀ । ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ସେ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବା ଦର୍ଶାଇ ଜାମିନକୁ ବିରୋଧ କରାଯାଇଥିଲା । ଏହି ଯୁକ୍ତିକୁ ବିଚାରକୁ ନେଇ ଅଦାଲତ ଜାମିନ ଦେବାକୁ ମନା କରି ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର ୨ରେ ଚୌଦ୍ୱାର ଜେଲ୍ର ଦୁଇ ଜଣ ବିହାରୀ ବିଚାରାଧୀନ କଏଦୀ ଫେରାର ହୋଇଥିଲେ । ଏହାପରେ ଦାୟିତ୍ୱ ଏଡ଼ାଇବା ଉଦ୍ଦେଶ୍ୟରେ ଜେଲ୍ର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟର, ଅଧୀକ୍ଷକଙ୍କ ମିନିଟ୍ ବୁକ୍ ଏବଂ ଅନ୍ୟାନ୍ୟ ରେକର୍ଡରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ତତ୍କାଳୀନ ଜେଲର୍ଙ୍କ ଦସ୍ତଖତ ଜାଲ୍ କରାଯାଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ସୁଜିତ ରାଉଳଙ୍କ ସଂପୃକ୍ତି ମିଳିଥିବା ଦର୍ଶାଇ ପୁଲିସ ତାଙ୍କୁ ସେପ୍ଟେମ୍ବର ୨୧ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।












Leave a Reply