ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୬/୧୦: ନଭେମ୍ବର ୧ ତାରିଖରୁ ପୁଣି ଖୋଲିବ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ | ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ନିୟମାବଳୀ ଜାରି ହୋଇଛି। ଜୁନ ୨୯ରୁ ମୌସୁମୀ ପାଇଁ ବନ୍ଦ ଥିଲା ଅଭୟାରଣ୍ୟ |

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ ଓ ଜୈବବିବିଧତାର ଅନନ୍ୟ ଭଣ୍ଡାର ଶିମିଳିପାଳ ପୁଣିଥରେ ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ। ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର ବୈଧ କାଗଜପତ୍ର ସହ ସର୍ବନିମ୍ନ ୧୮୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବା ବାଧ୍ୟତାମୂଳକ। ଭାରୀଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।

ପର୍ଯ୍ୟଟକମାନେ ଶିମିଳିପାଳର ନିଜସ୍ୱ ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ଅନୁମତିପତ୍ର ବୁକିଂ କରିବେ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ ସୁଯୋଗ ମିଳିବ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଯାଞ୍ଚ କରାଯିବା ସହ ପ୍ରତ୍ୟେକ ଗାଡ଼ିରେ ଜଣେ ଲେଖାଏଁ ଅନୁମୋଦିତ ଗାଇଡ୍ ରହିବା ଆବଶ୍ୟକ।

ପର୍ଯ୍ୟଟକମାନଙ୍କୁ ଅପରାହ୍ନ ୪ଟା ସୁଦ୍ଧା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଅଞ୍ଚଳ ଛାଡ଼ିବାକୁ ପଡ଼ିବ। ସେହିପରି ସନ୍ଧ୍ୟା ୬ଟା ପୂର୍ବରୁ କାଳିକାପ୍ରସାଦ କିମ୍ବା ପିଠାବଟା ଫାଟକ ଦେଇ ଅଭୟାରଣ୍ୟରୁ ବାହାରିବାକୁ ନିର୍ଦ୍ଦେଶ ରହିଛି।

ଚଳିତ ପର୍ଯ୍ୟଟନ ଋତୁରେ ଜିପ୍ ସଫାରିର ମଜା ନେଇପାରିବେ ପର୍ଯ୍ୟଟକ। ଗୁଡୁଗୁଡ଼ିଆ, ପିଠାବଟା, ଜାମୁଆଣି, ତାଳବନ୍ଧ ଓ ବରେହିପାଣିରୁ ସଫାରି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ଇକୋ-ଟୁର ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିବାକୁ ହେବ। ସକାଳ ସଫାରି ଭୋର ୫ଟା ୩୦ରୁ ପାଞ୍ଚ ଘଣ୍ଟା ଏବଂ ଅପରାହ୍ନ ସଫାରି ଦିନ ୨ଟାରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ସେହିପରି କୁମାରୀ, ଗୁଡୁଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିରେ ଥିବା ପ୍ରକୃତି ନିବାସରେ ରାତ୍ରିଯାପନ ପାଇଁ ଅନଲାଇନ୍ରେ ଅଗ୍ରୀମ ଆରକ୍ଷଣ କରିବାକୁ ହେବ।

Leave a Reply

Your email address will not be published. Required fields are marked *