ବାରିପଦା,୨୨/୬ : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଶନିବାର ଯୁବକ ଆତ୍ମହତ୍ୟା ଘଟଣା। ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ଏବେ ଯାଇ ରାଜରାସ୍ତାରେ । ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ। ଶବ ନେଇ ଘରକୁ ଯିବା ବେଳେ କୁଳିଅଣା ଥାନା ୧୬ନମ୍ୱର୍ ଜାତୀୟ ରାଜପଥର କାନ୍ତା ଛକ ନିକଟରେ ରାସ୍ତା ଅବରୋଧ କଲେ ମୃତ ଯୁବକର ପରିବାର ଲୋକ ଓ ସମ୍ପର୍କୀୟ। ଅଟକି ରହିଛି ଟ୍ରକ ଓ ଗାଡ଼ି। ଜାତୀୟ ରାଜପଥରେ ଉତ୍ତେଜନା।
ମୟୂରଭଞ୍ଜ ପୋଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରୁଛନ୍ତି। ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଞ୍ଚ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ। ସଂପୃକ୍ତ ଆଇଆଇସିଙ୍କ ତୁରନ୍ତ ନିଲମ୍ବନ ସହ ପରିବାରର ଜଣଙ୍କୁ ଚାକିରୀ ଏବଂ ୨୫ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଘଟଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଗତକାଲି ଯୁବକ ଆତ୍ମହତ୍ୟା ଘଟଣା। ଗାଡ଼ି ଚୋରି ମାମଲାରେ ଦେଢ଼ ମାସ ଧରି ଦ୍ୱାରସ୍ଥ ହେବା ପରେ ମଧ୍ୟ ନ୍ୟାୟ ନମିଳିବାରୁ ଏବଂ ପୋଲିସର ନିଷ୍କ୍ରିୟତା ଯୋଗୁଁ କାମତା ଗ୍ରାମର ଦୀପକ କୁମାର ବାରିକ (୩୫) ଥାନା ସାମ୍ନାରେ ଗଳାରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବାରିପଦା ମେଡିକାଲ ଆଣିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର ଚରମ ଅବହେଳାକୁ ପ୍ରତିବାଦ କରି ଶବ ସଂରକ୍ଷଣ ଗୃହ ସମ୍ମୁଖରେ ମୃତକଙ୍କ ପରିବାର ଓ ଶତାଧିକ ଲୋକେ ଜୋରଦାର ନାରାବାଜି କରିଥିଲେ। ତେବେ ମୃତ ଯୁବକର ପରିବାର ଲୋକ ଓ ସମ୍ପର୍କୀୟ ଶବ ନେଇ ଘରକୁ ଯିବା ବେଳେ କୁଳିଅଣା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥର କାନ୍ତା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରବିବାର ସକାଳୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଏବଂ ବାରିପଦା ପୌରାଧ୍ୟକ୍ଷ କୃଷାନନ୍ଦ ମହାନ୍ତିଙ୍କ ସହ ବହୁ ବିଜେଡି ନେତା ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ନେତାମାନେ ସଂପୃକ୍ତ ଆଇଆଇସିଙ୍କ ତୁରନ୍ତ ନିଲମ୍ବନ ସହ ପରିବାରର ଜଣଙ୍କୁ ଚାକିରୀ ଏବଂ ୨୫ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତ ନହେଲେ ଆଗାମୀ ଦିନରେ ବିଜେଡି ତରଫରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅବଗତି ସହ ଘଟଣାର ସଠିକ୍ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଵାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକ୍। କିନ୍ତୁ କ୍ଷତି ପୂରଣ ମିଳିନଥିବାରୁ ଏବେ ଜାତୀୟ ରାଜପଥରେ ଶବ ରଖି ବିକ୍ଷୋଭ ଜାରି ରଖିଛନ୍ତି।













Leave a Reply