ଭୁବନେଶ୍ୱର/ ନୂଆଦିଲ୍ଲୀ, ୧/୧୦:CAIT, AICPDF, AIMRA ପକ୍ଷରୁ ଅକ୍ଟୋବର ୨ ‘ନୋ ୟୁପିଆଇ ଡେ’ ବିରୋଧ ପ୍ରତ୍ୟାହୃତ। ଆସନ୍ତାକାଲି (ଅକ୍ଟୋବର ୨)ରେ ‘ନୋ ୟୁପିଆଇ ଡେ’ ପାଳନ ହେବାକୁ ବ୍ୟବସାୟୀ ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ, ଏବେ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛି ବ୍ୟବସାୟୀ ସଂଗଠନ । ୟୁପିଆଇ ଉପରେ ଲଗାଯାଇଥିବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍ଡିଆର୍)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବୈଠକ ପରେ ବ୍ୟବସାୟୀ ସଂଗଠନଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଦିଲ୍ଲୀରେ ୨୦ ଜଣିଆ ପ୍ରତିନିଧି ଦଳ ବୈଠକ କରିଥିଲେ ।
ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ବ୍ୟବସାୟୀ ନେତା ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ସେମାନେ ପ୍ରସ୍ତାବିତ ୟୁପିଆଇ ଏମ୍ଡିଆର୍ ନେଇ ନିଜର ଦାବି ଓ ସମସ୍ୟା ଜଣାଇଥିଲେ। ବ୍ୟବସାୟୀ ସଂଗଠନଗୁଡ଼ିକର ମୁଖ୍ୟ ଦାବି ହେଉଛି, ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ବାଣିଜ୍ୟିକ ପେମେଣ୍ଟ ଉପରେ ପ୍ରସ୍ତାବିତ ୦.୪୦% ଏମ୍ଡିଆର୍ ଲାଗୁ କରିବା ତାରିଖକୁ ଆହୁରି ଘୁଞ୍ଚାଯାଉ। ଏହା ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ବଢ଼ାଇପାରେ ବୋଲି ସେମାନେ କହିଛନ୍ତି। ଏହା ସହିତ ଏମ୍ଡିଆର୍ ଲାଗୁ ହେବାର ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ବ୍ୟବସାୟୀ ସଂଗଠନଗୁଡ଼ିକ ଦାବି କରିଛନ୍ତି। ବ୍ୟବସାୟୀରୁ ବ୍ୟବସାୟୀ ୟୁପିଆଇ କାରବାରକୁ ମଧ୍ୟ ଶୁଳ୍କ ବ୍ୟବସ୍ଥାରୁ ବାହାରେ ରଖିବାକୁ ସେମାନେ ଚାହିଁଛନ୍ତି। ସେମାନେ ଏମ୍ଡିଆର୍କୁ ଏକାଥରକେ ୦.୪୦% ଲାଗୁ ନକରି ପର୍ଯ୍ୟାୟକ୍ରମେ ଲାଗୁ କରିବାର ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ୨୦୨୬-୨୭ରେ ୦.୨୦%ରୁ ଆରମ୍ଭ କରି ପ୍ରତିବର୍ଷ ୦.୦୫ ପ୍ରତିଶତ ପଏଣ୍ଟ ବଢ଼ାଇ ୦.୪୦% କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି।
ବୈଠକରେ ଅର୍ଥମନ୍ତ୍ରୀ ବ୍ୟବସାୟୀଙ୍କ ଦାବି ଓ ସମସ୍ୟା ଶୁଣିଥିଲେ ଏବଂ ସେଗୁଡ଼ିକୁ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏହା ପରେ ଅକ୍ଟୋବର ୨ର ‘ନୋ ୟୁପିଆଇ ଡେ’ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।















Leave a Reply