ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପିର ଆନ୍ଦୋଳନ ଆରମ୍ଭ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୨/୧୦: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ସିଜେପି।ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବିରେ ‘କକ୍‌ରୋଚ୍‌ ଜନତା ପାର୍ଟି’ (ସିଜେପି) ଆନ୍ଦୋଳନ ଡାକରା ଦେଇଛି। ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲା ‘କକ୍‌ରୋଚ୍‌ ଜନତା ପାର୍ଟି’ (ସିଜେପି) । ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ କରାଯିବ ବୋଲି ସିଜେପି ସଂସ୍ଥାପକ ଅଭିଜିତ୍‌ ଦୀପକେ ଚେତାବନୀ ଦେଇଛନ୍ତି।

ମୁମ୍ବାଇ ପ୍ରେସ୍‌ କ୍ଲବ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦୀପକେ କହିଛନ୍ତି, ସିଇସିଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଦାଦରସ୍ଥିତ ଶିବାଜୀ ପାର୍କରେ ଦଳ ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ ହେବ। ସିଇସି ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଉ। ସେ ପଦତ୍ୟାଗ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏହି ଆନ୍ଦୋଳନ କେବଳ ମହାରାଷ୍ଟ୍ରରେ ସୀମିତ ନ ରହି ଗୋଆ, କର୍ନାଟକ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ମଧ୍ୟ କରାଯିବ।

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ସ୍ବଚ୍ଛ ହେବା ଆବଶ୍ୟକ ଏବଂ ଏହି ପ୍ରକ୍ରିୟାରେ ସାଧାରଣ ନାଗରିକ ସମାଜକୁ ସାମିଲ କରାଯିବା ଦରକାର। ଏହାସହ ୨୦୨୫ର ଭୋଟର ତାଲିକାକୁ ତୁରନ୍ତ ‘ଫ୍ରିଜ୍‌’ କରାଯାଉ, ଯାହାଫଳରେ ଏଥିରେ ଆଉ କୌଣସି ହେରଫେର କରାଯାଇପାରିବ ନାହିଁ।

ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଷୀ ଗତ ୧୦ ମାସ ମଧ୍ୟରେ ଅନ୍ତତଃ ୧୪ ଥର ଆପତ୍ତି ଉଠାଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *