ଝାରପଡ଼ା ଜେଲରେ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର,୨୪/୬ : ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ମଙ୍ଗଳବାର ଏକ ବଡ଼ଧରଣର ଅସୁସ୍ଥତା ଘଟଣା ସାମ୍ନାକୁ ଆସିଛି। ଜେଲରେ ଥିବା ୭ ଜଣ ବିଚାରାଧୀନ କଏଦୀ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିମଧ୍ୟରୁ ୫ ଜଣ ସାଜିଦ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇତଲ, ବାବୁଲା ପ୍ରଧାନ ଓ ରୁପୁ ସିଂଙ୍କ ଅବସ୍ଥା ଗୁରୁତର ରହିଛି। ଏତେ ସଂଖ୍ୟକ କଏଦୀ

ଏକାସାଙ୍ଗରେ କିପରି ଅସୁସ୍ଥ ହେଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ଜେଲ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ସାଜିତ, ସୀମାଞ୍ଚଳ ଓ ବିକାଶକୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଏବଂ ରୁପୁ ଓ ବାବୁଲାକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଅନ୍ୟ ୨ ଜଣଙ୍କ ଚିକିତ୍ସା ଜେଲ୍‌ ଚିକିତ୍ସା କେନ୍ଦ୍ରରେ କରାଯାଉଛି।

କଏଦୀ ରୁପୁ ସିଂ ମାଓ କାର୍ଯ୍ୟକଳାପରେ ଗିରଫ ହୋଇ ଝାରପଡ଼ା କାରାଗାରରେ ରହିଥିଲା। ସେହିପରି ସାଜିଦ ପୋକସୋ ମାମଲାରେ କାରାଦଣ୍ଡାଦେଶ ଭୋଗୁଥିବା ବେଳେ ଅନ୍ୟ ୪ ଜଣ ବିଚାରାଧୀନ କଏଦୀ ଥିଲେ। ନିଶା ଔଷଧ ସେବନରୁ ଏପରି ଅସୁସ୍ଥ ହୋଇଥିବା ପ୍ରାଥମିକ ସ୍ତରରେ ଜଣାପଡ଼ିଛି। ଯୋଜନା ଅନୁଯାୟୀ ୭ କଏଦୀ ଏକସଙ୍ଗେ ଏମ୍‌-୧୦ ନିଶା ଔଷଧ ଖାଇଥିବା ସୂଚନା ରହିଛି। ବିଭିନ୍ନ ଦିଗକୁ ନେଇ ପୁଲିସ ଓ କାରାଗାର କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି। ଚିକିତ୍ସାଧୀନ କଏଦୀଙ୍କୁ ଏସ୍‌ଟିଜି ପୁଲିସ ଦଳ ଜଗିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଡାକ୍ତରଖାନା କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି। ଝାରପଡ଼ା କାରାଗାରରେ ଜେଲ୍‌ ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

 

Leave a Reply

Your email address will not be published. Required fields are marked *