ଭୁବନେଶ୍ଵର, ୨୮/୯: ପୁଣିଥରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଚେତାବନୀ ଦେଇଛନ୍ତି ପରିବେଶକର୍ମୀ ସୋନମ ୱାଙ୍ଗଚୁକ। ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ସେ ସରକାରଙ୍କ ନିକଟରେ ନିଜ ମତ ରଖିଛନ୍ତି । ଅକ୍ଟୋବର ୨ ପର୍ଯ୍ୟନ୍ତ ଯଦି ସରକାର ଦାବି ପୂରଣ ନକରିବେ ତେବେ ସେ ପୁଣି ଥରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଚେତାବନୀ ଦେଇଛନ୍ତି । ଗତ ବର୍ଷ ସେପ୍ଟେମ୍ବର ୨୪ରେ ହୋଇଥିବା ହିଂସା ପରେ ତାଙ୍କୁ ଗିରଫ କରିବାକୁ ବର୍ଷେ ପୂରିବା ଅବସରରେ ସେ ଏହା କହିଛନ୍ତି।
ୱାଙ୍ଗଚୁକ କହିଛନ୍ତି, ସ୍ଥାନୀୟ ଲୋକଙ୍କ ପରାମର୍ଶ ବିନା ସରକାର ନୀତିଗତ ଫଇସଲା ନେଉଛନ୍ତି। ଜମି, ଔଦ୍ୟୋଗିକ ନୀତି, ପର୍ଯ୍ୟଟନ ନୀତି କିମ୍ବା ସ୍ଥାନୀୟ ଶାସନ ସହ ଜଡ଼ିତ ସମସ୍ତ ନୀତିଗତ ନିଷ୍ପତ୍ତି ଆଗୁଆ କରାଯାଉଛି। ଯଦି ଏ ସବୁ ଏବେଠାରୁ ସ୍ଥିର କରାଯିବ ତେବେ ଗଣତାନ୍ତ୍ରିକ ଢାଞ୍ଚା ପାଇଁ ଆଉ କ’ଣ ବାକି ରହିବ ?
ସେହିପରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଅକ୍ଟୋବରରେ ହେବାକୁ ଥିବା ବିକ୍ଷୋଭକୁ ମଧ୍ୟ ୱାଙ୍ଗଚୁକ ସମର୍ଥନ କରିଛନ୍ତି। ଦେଶର ନାଗରିକଙ୍କ ପ୍ରତି ନିର୍ବାଚନ କମିଶନଙ୍କ ଉତ୍ତରଦାୟିତ୍ବ ରହିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ପାରଦର୍ଶିତାପୂର୍ଣ୍ଣ କରିବା ଲାଗି ହେଉଥିବା ଯେ କୌଣସି ଉଦ୍ୟମକୁ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି।













Leave a Reply