ଭୁବନେଶ୍ୱର, ୧୧/୯: ଧଉଳି ଥାନା ପୋଲିସ କୁ ମିଳିଛି ସଫଳତା । ଚୋର ସହ ଚୋରି ସୁନା ଚେନ୍ ଜବତ କରିଛି ପୋଲିସ । ଅଭିଯୋଗକାରୀ ଛାୟାକାନ୍ତ ମିଶ୍ର ୨୭ ଅଗଷ୍ଟ କୁ ତାଙ୍କର ଚେନ ଲୁଟ ହୋଇଥିବା ନେଇ ଅଭିଯୋଗ କରିଥିଲେ । ସେ ସକାଳେ ରାକ୍ଷୀ କିଣିବା ପାଇଁ ସାମନ୍ତରାପୁର ବଜାରକୁ ଯାଇଥିଲେ। ରାକ୍ଷୀ କିଣି ଘରକୁ ଫେରୁଥିବା ସମୟରେ ସକାଳ ପ୍ରାୟ ୮ଟା ବେଳେ ଗଙ୍ଗୁଆ ବ୍ରିଜ୍ ପରେ ଥିବା ୟଙ୍ଗ ଫେନିକ୍ସ ସ୍କୁଲ୍ ସାମ୍ନାରେ ପହଞ୍ଚିବା ବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ ଦ୍ରୁତ ଗତିରେ ଆସି ତାଙ୍କ ବେକରୁ ପ୍ରାୟ ୧୭ ଗ୍ରାମ୍ ଓଜନର ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏହା ପରେ ସେ ସେମାନଙ୍କୁ ଗୋଡାଇଥିଲେ ମଧ୍ୟ ଧରିପାରି ନଥିଲେ।
ଅଭିଯୁକ୍ତମାନେ ବିନା ନମ୍ବର ପ୍ଲେଟ୍ ଥିବା ମୋଟର ସାଇକେଲରେ ଆସିଥିଲେ ଏବଂ ପଛରେ ବସିଥିବା ବ୍ୟକ୍ତି ଏକ ହାଲୁକା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନେଇ ଅଭିଯୋଗ ଦାଖଲ କରିଥିଲେ ।
ପରେ ପୋଲିସ ଲିଖିତ୍ ଅଭିଯୋଗକୁ ଭିତ୍ତି କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଧଳା ରଙ୍ଗର NS 200 ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ଏହି ଅପରାଧ କରିଥିଲେ। ପରେ ସିସିଟିଭି ଫୁଟେଜ୍ ଓ ଫଟୋ ପ୍ରଚାର କରି ଏବଂ ମାନବ ଗୁଇନ୍ଦା ତଥ୍ୟ ବ୍ୟବହାର କରି ମୋଟର ସାଇକେଲ ଚାଳକର ପରିଚୟ ସୁଦର୍ଶନ ପ୍ରଧାନ ଭାବେ ନିଶ୍ଚିତ କରିଥିଲେ । ଏବଂ ବ୍ୟବହୃତ ମୋଟରସାଇକେଲ୍ ଅର୍ଥାତ୍ ଧଳା ରଙ୍ଗର ବଜାଜ ପଲସର NS 200 ସହ ଗିରଫ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ କହିଥିଲା ଯେ ଅନ୍ୟ ଅଭିଯୁକ୍ତ ତାର ସାଙ୍ଗ ମୂଷା, ଯିଏ ବର୍ତ୍ତମାନ ଫେରାର ଅଛି। ପ୍ରଥମେ ତା ୨୦.୦୭.୨୦୨୬ ରେ ସେମାନେ ବଡ଼ଗଡ଼ ଥାନା ଅଞ୍ଚଳର କେଦାରଗୌରୀ ରିସୋର୍ଟ ନିକଟରେ ଅପରାଧ କରିଥିଲେ। ପରେ ତା ୨୭.୦୮.୨୦୨୬ ରେ ଧଉଳି ଥାନା ଅଞ୍ଚଳର ୟଙ୍ଗ ଫେନିକ୍ସ ସ୍କୁଲ୍ ନିକଟରେ ଏବଂ ତା ୦୬.୦୯.୨୦୨୬ ରେ କୃଷି ଭବନ ସାମ୍ନା ଅର୍ଥାତ୍ ରବୀନ୍ଦ୍ର ମଣ୍ଡପ ଓ ୧୨୦ ବାଟାଲିୟନ ମଧ୍ୟରେ କ୍ୟାପିଟାଲ ଥାନା ଅଞ୍ଚଳରେ ଅପରାଧ କରିଥିଲେ।
ପୋଲିସ ତାଙ୍କ ନିକଟରୁ ବିନା ନମ୍ବର ପ୍ଲେଟ୍ ଥିବା ଏକ ଧଳା ରଙ୍ଗର ବଜାଜ ପଲସର NS 200, ଲୁଟ୍ ହୋଇଥିବା ଦୁଇଟି ସୁନା ଚେନ୍, ଏକ OPPO F29 Pro 5G ମୋବାଇଲ୍ ଓ ଅପରାଧ ସମୟରେ ଅଭିଯୁକ୍ତ ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପୋଲିସ ଜବତ କରିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଅଭିଯୁକ୍ତ ସୁଦର୍ଶନ ପ୍ରଧାନ ନାଁ ରେ ଅନେକ ଅପରାଧିକ ମାମଲା ରହିଛି ।













Leave a Reply