୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଁଚିଲେ ପୁଟିନ୍

ନୁଆଦିଲ୍ଲୀ ୧୧/୦୯: ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାଣିଜ୍ୟ, ନିବେଶ ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଦ୍ୱିପାକ୍ଷିକ ଆଲୋଚନା ପାଇଁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ | ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ପାଲମ୍ ବାୟୁସେନା ଘାଟିରେ ଓହ୍ଲାଇବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସାଂସଦ କୀର୍ତ୍ତି ବର୍ଦ୍ଧନ ସିଂହ ତାଙ୍କୁ ସ୍ୱାଗତ କରିଥିଲେ।

୨୦୨୨ ଫେବୃଆରୀରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ବାହାରେ ଏହା ପୁଟିନଙ୍କ ପ୍ରଥମ ପ୍ରତ୍ୟକ୍ଷ ବ୍ରିକ୍ସ ସମ୍ମିଳନୀ ଗସ୍ତ। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଚର୍ଚ୍ଚା ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରୀ ପେସକୋଭଙ୍କ ସୂଚନାନୁସାରେ, ବ୍ରାହ୍ମୋସ କ୍ଷେପଣାସ୍ତ୍ରର ଆଧୁନିକୀକରଣ, ଏସ୍-୪୦୦ ବାୟୁ ପ୍ରତିରୋଧ ପ୍ରଣାଳୀର ବାକି ଯୋଗାଣ ଏବଂ ସୁ-୫୭ ଯୁଦ୍ଧବିମାନ ଯୋଗାଣ ନେଇ ଆଲୋଚନା ଚାଲିଛି। ଏହାଛଡ଼ା ଭାରତରେ ନୂତନ ବେସାମରିକ ପରମାଣୁ ରିଆକ୍ଟର ସ୍ଥାପନ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯିବ।

ସୂଚନାଯୋଗ୍ୟ, ୧୮ତମ ବ୍ରିକ୍ସ ନେତାଙ୍କ ସମ୍ମିଳନୀ ସେପ୍ଟେମ୍ବର ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ସମ୍ପ୍ରସାରିତ ଗୋଷ୍ଠୀର ନେତାମାନେ ଏକତ୍ରିତ ହୋଇ ଅର୍ଥନୈତିକ ସହଯୋଗ, ପ୍ରଯୁକ୍ତିବିଦ୍ୟା, ଶକ୍ତି ଓ ଖାଦ୍ୟ ସୁରକ୍ଷା, ବିଶ୍ୱ ଶାସନ ଏବଂ ପ୍ରମୁଖ ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ବାର୍ଷିକ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଭାରତ ମଣ୍ଡପମ୍’ ଠାରେ ଏହି ସମ୍ମିଳନୀର ଆୟୋଜନ କରିବେ ଏବଂ ପୁଟିନ୍, ସି ଜିନପିଙ୍ଗ ଓ ଅନ୍ୟାନ୍ୟ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।

ଋଷିଆ-ୟୁକ୍ରେନ୍ ଯୁଦ୍ଧ, ମଧ୍ୟ-ପୂର୍ବ ସଙ୍କଟ, ହରମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଏବଂ କ୍ରମାଗତ ବିଶ୍ୱ ବାଣିଜ୍ୟିକ ଉତ୍ତେଜନାକୁ ନେଇ ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ନେତାମାନେ ‘ନୂଆଦିଲ୍ଲୀ ଘୋଷଣାନାମା’ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *