ଓରାଙ୍ଗଉଟାନ ଉଦ୍ଧାର ଘଟଣା: ୩ ଜଣଙ୍କୁ ଉଠାଇଲା STF 

ଭୁବନେଶ୍ୱର, ୧୧/୯: ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ।ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା ସମଗ୍ର ଦେଶରେ ଚର୍ଚ୍ଚାରେ ଥିବା ବେଳେ ତଦନ୍ତ କରି ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଛି STF । ଏଥିସହ ଏହି ଘଟଣାରେ ହୋଟେଲ ମାଲିକ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ଅନ୍ୟପଟେ, ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯାଇଛି । ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି ।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ, କାହା ସହାୟତାରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏ ।

ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶା କେବେହେଲେ ଏକ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ, ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବିଦେଶୀ ବନ୍ୟପ୍ରାଣୀଙ୍କ ଏହି ବେଆଇନ ପରିବହନରେ କୌଣସି ନେଟୱାର୍କ ସମ୍ପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *