ଭୁବନେଶ୍ବର,୧୦/୯ : କ୍ରେଡିଟ୍ଆକ୍ସେସ୍ ଇଣ୍ଡିଆ ଫାଉଣ୍ଡେସନ୍ ଏବଂ ‘ମିସନ୍ ସ୍ମାଇଲ୍’ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ଠାରେ ‘ଗ୍ରାମୀଣ ସ୍ମାଇଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାରର ଶିଶୁମାନଙ୍କୁ ନିଷୁଳ୍କ, ନିରାପଦ ତଥା ସମ୍ପୂର୍ଣ୍ଣ କ୍ଲେଫ୍ଟ (କଟା ଓଠ ଓ ତାଳୁ) ଚିକିତ୍ସା ସେବା ଯୋଗାଇଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଯୋଜନା ଅଧୀନରେ ୬ ମାସରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ୫୦ଜଣ ଶିଶୁଙ୍କୁ ସାମିଲ କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅବଧି ମଧ୍ୟରେ ପ୍ରତ୍ୟେକ ଶିଶୁଙ୍କୁ ବିନା ମୂଲ୍ୟରେ ଅସ୍ତ୍ରୋପଚାର, ଆନୁଷଙ୍ଗିକ ଔଷଧ ସେବା ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ପ୍ରଦାନ କରାଯିବ। ଏହି ଭାଗିଦାରୀ ଅଧୀନରେ ହାଇଟେକ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ଡାକ୍ତରୀ ସୁବିଧା ଯୋଗାଇଦେବ, ଅପରପକ୍ଷରେ ‘ମିସନ୍ ସ୍ମାଇଲ୍’ ରୋଗୀ ଚିହ୍ନଟ, ସ୍କ୍ରିନିଂ, ପଞ୍ଜୀକରଣ, ଅସ୍ତ୍ରୋପଚାର ସୁବିଧା, ପରବର୍ତ୍ତୀ ଯତ୍ନ ଏବଂ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବ। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୫୩ହଜାରରୁ ଅଧିକ ଶିଶୁଙ୍କ ଏହି ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଛି । ସେଥିମଧ୍ୟରୁ କେବଳ ଓଡିଶାରେ ୩ ହଜାର ଏବଂ ହାଇଟେକ୍ ଡେଣ୍ଟାଲ୍ ହସ୍ପିଟାଲରେ ୨ ହଜାର ଅସ୍ତ୍ରୋପଚାର କରାଯାଇଛି ।
ମିସନ୍ ସ୍ମାଇଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କନରାଡ୍ ଜି. ଡେନିସ୍ କହିଛନ୍ତି ଯେ, ପ୍ରତ୍ୟେକ ସଫଳ ଅସ୍ତ୍ରୋପଚାର ଜଣେ ଶିଶୁକୁ ଖାଇବା, କଥା କହିବା, ହସିବା ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାର ସୁଯୋଗ ଦିଏ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ଧଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ, ହାଇଟେକ୍ ଡେଣ୍ଟାଲ କଲେଜର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧୁସ୍ମିତା ତ୍ରିପାଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇଟେକ୍ ଡେଣ୍ଟାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର, ପ୍ରଫେସର ଡାକ୍ତର ଅଭିତୋଷ ଦେବତା, ମିଶନ ସ୍ମାଇଲର ସିଇଓ କର୍ଣ୍ଣାଡ୍ ଡେନିସ୍, ଡାକ୍ତର. ସିଦ୍ଧାର୍ଥ ନାୟକ, ଡାକ୍ତର ନାରାୟଣ ଆଚାର୍ଯ୍ୟ,ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।













Leave a Reply