ଭୁବେନଶ୍ୱର, ୧୦/୯: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ବିଦ୍ୟାଳୟ ମଧ୍ୟରେ ମଦପାନ କରିଛନ୍ତି ପ୍ରଧାନଂ ଶିକ୍ଷକ | ଯାହାକୁ ନେଇ ଖବର ପ୍ରଚାର ହେବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଇଓ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛନ୍ତି |
ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନଶିକ୍ଷକ ସୁନାକର ନାୟକ ଖେଳ ଛୁଟି ବେଳେ ତାଙ୍କ ପ୍ରକୋଷ୍ଠରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କବାଟ ଭିତରପଟୁ ବନ୍ଦ କରି ଶୋଇ ପଡ଼ିଥିଲେ । ଅପରପକ୍ଷରେ ଖେଳ ଛୁଟି ପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଶ୍ରେଣୀ ଗୃହକୁ ଯାଇଥିଲେ । ତେବେ ନିଶାସକ୍ତ ଅବସ୍ଥାରେ ଥିବା ପ୍ରଧାନଶିକ୍ଷକ ଶ୍ରୀ ନାୟକ ସେମାନଙ୍କୁ ପଢ଼ାଇବା ପାଇଁ ଆସିନଥିଲେ । ତେବେ ସେ ମଦ୍ୟପାନ ପୂର୍ବରୁ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିବାରୁ ପିଲାମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା ।
ଛାତ୍ରଛାତ୍ରୀଙ୍କ ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଡାକିବା ପରେ ବି ପ୍ରଧାନଶିକ୍ଷକ କବାଟ ଖୋଲିନଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ଅପରାହ୍ନ ପ୍ରାୟ ୪ଟାରେ ବିଇଓ ମଦନ ମୋହନ କର ଓ ଏବିଇଓ ଦେବଦତ୍ତ ଶତପଥୀ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଡକାଡକି ପରେ ନିଶାସକ୍ତ ଶ୍ରୀ ନାୟକ ଅପରାହ୍ନ ପ୍ରାୟ ୫ଟାରେ ନିଦରୁ ଉଠି କବାଟ ଖୋଲିଥିଲେ । ଏହା ପରେ ତାଙ୍କଠାରୁ ଚାବି ଆଣି ସ୍କୁଲ ଗେଟ୍ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା । ଏହି ସମୟରେ ପ୍ରଧାନଶିକ୍ଷକଙ୍କ ଟେବୁଲ୍ ଉପରେ ମଦ ବୋତଲ ସମେତ ଖାଦ୍ୟ ସାମଗ୍ରୀ ରଖାଯାଇଥିବା ଦୃଷ୍ଟିଗୋଚର ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଇଓ ଶ୍ରୀ କର ଆଜି ମଦ୍ୟପ ପ୍ରଧାନଶିକ୍ଷକ ଶ୍ରୀ ନାୟକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।














Leave a Reply