ଭୁବନେଶ୍ୱର/ନୂଆଦିଲ୍ଲୀ, ୫/୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ ୨.୦’ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି – ନୂଆ ଅବକାରୀ ନୀତି ୨୦୨୬-୨୯ ଅନୁଯାୟୀ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି।
୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ । ନିଶାକୁ ନାଁ, ଜୀବନକୁ ହଁ, ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ ବୋଲି କହିଛନ୍ତି । ସେହିପରି ମହିଳା ହିଂସା ପଛରେ ନିଶା ମୁଖ୍ୟ କାରଣ । ଏଭଳି କହି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମଦ ନୁହେଁ, ଗଞ୍ଜେଇ, ଅଫିମ ଓ କୋକେନ ବିରୋଧରେ କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ଥାନୀୟ ରେଳ ଅଡିଟୋରିୟମରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ **’ଜୀବନ ଜିନ୍ଦାବାଦ-୨.୦’**ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ; ଏହା ପରିବାର ଓ ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ।ନିଶା କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ଜାରି ରଖିବେ ବୋଲି ସେ କହିଛନ୍ତି।
ଏପ୍ରିଲ ପହିଲାରୁ ପ୍ରସ୍ତୁତ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ଧରି ରାଜ୍ୟରେ ନୂଆ ମଦ ଦୋକାନକୁ ଅନୁମତି ଦିଆଯିବ ନାହିଁ। ନିଶା ନିୟନ୍ତ୍ରଣ ଦିଗରେ ଏହା ସରକାରଙ୍କ ଏକ ବଡ଼ ନୀତିଗତ ପଦକ୍ଷେପ ବୋଲି ମନେ କରାଯାଉଛି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ମୃତ୍ୟୁ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।













Leave a Reply