ଗିନିଜ୍ ରେକର୍ଡ କରିବା ଲକ୍ଷ୍ୟରେ ୧୬୮ ଘଣ୍ଟା ନାଚିଲେ ୩୩ ବର୍ଷୀୟ ନାଇଜେରିଆର ଜଣେ ନୃତ୍ୟଶିଳ୍ପୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୫/୧୦: ନାଇଜେରିଆର ଜଣେ ନୃତ୍ୟଶିଳ୍ପୀ ଲଗାତର ୭ ଦିନ ଧରି ନାଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ୩୩ ବର୍ଷୀୟ ନାଇଜେରିଆର ଲାଗୋସର ବେଞ୍ଜାମିନ ଡାନିଏଲ, ଓରଫ ବେନ୍ ଡାନ୍ସର (୩୩ ବର୍ଷ) ଫ୍ରିଡମ୍ ପାର୍କରେ ସେପ୍ଟେମ୍ବର ୨୨ରୁ ୨୯ ପର୍ଯ୍ୟନ୍ତ ଏକଟାଣ ୧୬୮ ଘଣ୍ଟା ନାଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ପୂର୍ବରୁ ୨୦୨୩ରେ ଭାରତର ସୃଷ୍ଟି ସୁଧୀର ଜଗତାପ ବନାଇଥିବା ୧୨୭ ଘଣ୍ଟାର ନୃତ୍ୟ ରେକର୍ଡ ଭାଙ୍ଗିବା ବେଞ୍ଜାମିନଙ୍କର ଉଦ୍ଦେଶ୍ୟ ଥିଲା ।

ସେଥିଲାଗି ସେପ୍ଟେମ୍ବର ୨୨ରେ ଲାଗୋସର ଫ୍ରିଡମ୍ ପାର୍କରେ ସେ ନିଜର ଅଭିଯାନ ଆରମ୍ଭ କରିଥିଲେ ।ସପ୍ତାହେ ଧରି ଲଗାତର ଚାଲିଥିବା ତାଙ୍କର ନୃତ୍ୟକୁ ଦେଖିବା ଲାଗି ପ୍ରତିଦିନ ବହୁ ସଂଖ୍ୟକ ଲୋକ ସେଠାରେ ପହଞ୍ଚୁଥିଲେ । ଅନେକ ସମୟରେ ସେମାନେ ବେଞ୍ଜାମିନଙ୍କ ସହ ତାଳ ଦେଇ ନାଚୁଥିଲେ । ନୃତ୍ୟ ଅଭିଯାନ ବେଳେ ବେଞ୍ଜାମିନ୍ ତରଳ ଖାଦ୍ୟ ଖାଉଥିଲେ । ବିଶ୍ରାମ ଲାଗି ପ୍ରତି ଘଣ୍ଟାରେ ତାଙ୍କୁ ୫ ମିନିଟ୍ ସମୟ ଦିଆଯାଇଥିଲା ।

ତେବେ ଟାର୍ଗେଟ୍ ପୂରଣ ପରେ ବି ସେ ଅଟକି ନଥିଲେ । ଆହୁରି ୯ ଘଣ୍ଟା ଧରି ନାଚିଥିଲେ । ନୃତ୍ୟ ମାରାଥନ୍ ଶେଷ ହେବା ପରେ ସେ ନିଜର ଆବେଦନକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସକୁ ପଠାଇ ଦେଇଛନ୍ତି ।

ବେନ୍ କହିଛନ୍ତି, ରେକର୍ଡ ନୁହେଁ, ଆଫ୍ରିକୀୟ ନୃତ୍ୟକୁ ବିଶ୍ୱ ଦରବାରକୁ ନେବା ତାଙ୍କ ଲକ୍ଷ୍ୟ। ଗିନିଜ୍ କହିଛି ଆବେଦନ ସକ୍ରିୟ ଅଛି, ପ୍ରମାଣ ଯାଞ୍ଚ ପରେ ରେକର୍ଡ ନିଷ୍ପତ୍ତି ହେବ।

Leave a Reply

Your email address will not be published. Required fields are marked *