ଭୁବନେଶ୍ବର,୧୯/୬ : ୫୦ଦିନର ସଫଳତା ପରେ ମନ୍ତ୍ରମୁଗ୍ଧ ଚଳଚ୍ଚିତ୍ର ଟିମ୍ ତରଫରୁ ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକମାନଙ୍କ ସହ ଖୁସିର ମୁହୂର୍ତ୍ତ ପାଳନ ହେଉଛି l ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅମୀୟ ପଟ୍ଟନାୟକ ପ୍ରଡ଼କସନର ଅବଦାନ ଅତୁଳନୀୟ l ଅମୀୟ ପଟ୍ଟନାୟକ ପ୍ରଡ଼କସନରେ ପୂର୍ବରୁ ପ୍ରସ୍ତୁତ ପ୍ରତ୍ୟେକ ଓଡ଼ିଆ ଚଳଚ୍ଚିତ୍ର କାଳଜୟୀ ହୋଇ ରହିଥିବାବେଳେ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ ପ୍ରତ୍ୟେକ ଓଡ଼ିଆ ଚଳଚ୍ଚିତ୍ର ସେହି ଧାରାରେ ଆଗକୁ ବଢ଼ିବାରେ ଲାଗିଛି ଯାହା ମାଇଲଖୁଣ୍ଟ ହୋଇ ରହିବ l ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ପ୍ରତୀକ୍ଷା” ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାତେଇ ସାରା ରାଜ୍ୟ ପାଇଁ ଖୁସି ଆଣିଦେଇଥିଲା । ସେହିପରି “କର୍ମ” ବ୍ୟବସାୟିକ ସଫଳତା ହାସଲ କରି ଆଗକୁ ବଢ଼ିବାରେ ଉତ୍ସାହ ଯୋଗାଇଥିଲା l

ମେ ୧ ତାରିଖରେ ମୁକ୍ତିଲାଭ କରିଥିବା ମନ୍ତ୍ରମୁଗ୍ଧ ଦୀର୍ଘ ୫୦ଦିନ ହେବ ସାରା ଓଡିଶାର ଦର୍ଶକଙ୍କ ମନମୁଗ୍ଧ କରିବାରେ ଲାଗିଛି l କୌଣସି ପର୍ବ କିମ୍ବା କୌଣସି ସୁପରଷ୍ଟାରଙ୍କୁ ନେଇ ମନ୍ତ୍ରମୁଗ୍ଧ ନିର୍ମାଣ ହୋଇନଥିବାବେଳେ ଓଡିଶା ସମେତ ସାରା ଭାରତରେ ବେଶ ଆଦୃତ ହୋଇଛି l ଚିରାଚରିତ ଚଳଚ୍ଚିତ୍ର ନିର୍ମାଣ ଧାରାଠାରୁ ଭିନ୍ନ ଏବଂ ମଜାଦାର କାହାଣୀ ଓଡ଼ିଆ ସିନେପ୍ରେମୀଙ୍କୁ ମୁଗ୍ଧ କରିପାରିଛି l ଓଡ଼ିଆ ସିନେ ଦର୍ଶକଙ୍କର ଅପେକ୍ଷା ଥାଏ ରଜ ପର୍ବକୁ l ରଜ ଆସିଲା ଏବଂ ଓଡ଼ିଆ ସୁପରଷ୍ଟାର, ରିଅଲଷ୍ଟାରଙ୍କୁ ନେଇ ତିନିଟି ନୂଆ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କଲା l ତେବେ ମନ୍ତ୍ରମୁଗ୍ଧ ପ୍ରତି କୌଣସି ପ୍ରଭାବ ପଡି ନଥିଲା l ମନ୍ତ୍ରମୁଗ୍ଧର କାହାଣୀ ଏବଂ ନିର୍ମାଣ ଶୈଳୀ ଏପରି ଯେ ଦର୍ଶକ ଆପେ ଟାଣି ହେଉଥିଲେ l ଥରେ ନୁହେଁ ବରଂ ଏକାଧିକ ଥର ଦେଖିବାକୁ ଦର୍ଶକଙ୍କର ଭିଡ଼ ଜମୁଛି l
ମୁଖ୍ୟ ଭୂମିକାରେ ଅଭିନେତା ସନୋଜ, ମନ୍ମୟ, ସାର୍ଥକ, ସୂର୍ଯ୍ୟମୟୀ, ଭୂମିକା ଏବଂ ଦୀପନ୍ୱିତ ଭଳି କଳାକାର ମନ୍ତ୍ରମୁଗ୍ଧ କରୁଛନ୍ତି l ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ଅନୁରାଗ ପଣ୍ଡା, ସଙ୍ଗୀତ ପଟ୍ଟନାୟକ ଓ ରୋମୀୟାଜ ପ୍ରଧାନଙ୍କ ଭଳି ପାଞ୍ଚ ଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ଆଶିଷ ପ୍ରଧାନ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ “ହଜିଗଲା କାହିଁ ବଇଁଶୀ କାହ୍ନା” ଗୀତରେ ପ୍ରଯୋଜିକା ବର୍ଷା ପଟ୍ଟନାୟକ ଜଣେ ଅତିଥି କଳାକାର ଭାବେ ଖୁବ ସୁନ୍ଦର ନୃତ୍ୟ କରି ଦର୍ଶକଙ୍କୁ ଅଭିଭୂତ କରିଛନ୍ତି l ଏହି ଚଳଚ୍ଚିତ୍ରର ମୁଖ୍ୟ ଅଙ୍ଗ ଥିଲା ପ୍ରଚାର ଓ ପ୍ରସାର l ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ଏବଂ ଟିମ୍ ଙ୍କୁ ପ୍ରଯୋଜନା ସଂସ୍ଥା ତରଫରୁ ଶ୍ରେୟ ଦିଆଯାଇଛି l କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ଚନ୍ଦ୍ର ଘଡ଼ାଇ, ଏବଂ ଟେକ୍ନୋଆର୍ଟ ପ୍ରଡ଼କସନ ଟିମ୍ ର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ମନ୍ତ୍ରମୁଗ୍ଧ ଆଜି ସଫଳତା ପାଇଛି l















Leave a Reply