ଭୁବନେଶ୍ବର, ୧୮/୯: ରାଜ୍ୟରୁ ମୌସୁମୀ ପ୍ରଭାବ କମିବାର ନାଁ ଧରୁନି । ଏହାରି ମଧ୍ୟରେ ପୁଣି ଥରେ ଆଖି ଦେଖାଇଲାଣି ସମ୍ଭାବ୍ୟ ବାତ୍ୟା । ଓଡ଼ିଶାକୁ ମାଡ଼ ହୋଇପାରେ ବାତ୍ୟା। ମାତ୍ର ଚିତ୍ର ଏଯାଏଁ ଅସ୍ପଷ୍ଟ ଥିବା ବେଳେ ସଦ୍ୟ ସାଟେଲାଇଟ୍ ଚିତ୍ରରେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ଅଧିକ ଘନୀଭୂତ ହେଉଥିବା ଦେଖାଯାଉଛି । ଏହା ଉପର ବାୟୁମଣ୍ଡଳର ଘୂର୍ଣ୍ଣିବଳୟ (Cyclonic Circulation) ଏହି ଅଞ୍ଚଳକୁ ଆସୁଥିବାର ସଙ୍କେତ ଦେଉଛି । ୧୯ ସେପ୍ଟେମ୍ବର ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ପରେ ଆହୁରି ଘନୀଭୂତ ହୋଇପାରେ ।ଚଳିତ ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇଥିବା ବେଳେ, ଏବେ ପୁଣି ଏକ ନୂଆ ସିଷ୍ଟମ ଦାନା ବାନ୍ଧୁଥିବା ସ୍ପଷ୍ଟ ହୋଇଛି ।
ବିଶ୍ୱ ଓ ଭାରତୀୟ ପାଣିପାଗ ମଡେଲ୍ର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇପାରେ । ଅବପାତ (Depression) ହେବାର ସମ୍ଭାବନା ବଢ଼ୁଛି ଏବଂ ପରେ ଗଭୀର ଅବପାତ (Deep Depression) ହେବାର ମଧ୍ୟ ସମ୍ଭାବନା ରହିଛି । ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା (Cyclonic Storm) ହେବାର ସମ୍ଭାବନାକୁ ଏବେ ବାଦ୍ ଦିଆଯାଇପାରୁ ନାହିଁ । କିନ୍ତୁ ଏଥିରେ ସମସ୍ତ ମଡେଲ୍ ଏପର୍ଯ୍ୟନ୍ତ ଏକମତ ହୋଇନାହାନ୍ତି ।ପ୍ରଫେସର ପଶୁପାଳକଙ୍କ ଅନୁଧ୍ୟାନ କହୁଛି, ସଦ୍ୟ ECMWF/EPS ଓ GFS/GEFS ଆକଳନରେ ପୂର୍ବ ତୁଳନାରେ ଗତିପଥ କିଛି ଅଧିକ ଉତ୍ତର ଆଡ଼କୁ ଯାଉଥିବା ସଙ୍କେତ ମିଳୁଛି । ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ବଢ଼ିଛି । ବିଭିନ୍ନ ମଡେଲ୍ର ଆକଳନ ମଧ୍ୟରେ ପାର୍ଥକ୍ୟ କମୁଛି, କିନ୍ତୁ କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ଗଭୀର ଅବପାତରେ ସୀମିତ ରହିବ କି ବାତ୍ୟାର ରୂପ ନେବ, ସେଥିରେ ମଧ୍ୟ ଅନିଶ୍ଚିତତା ରହିଛି ।୨୨ ସେପ୍ଟେମ୍ବରଠାରୁ ଓଡ଼ିଶାରେ ବର୍ଷା ବଢ଼ିପାରେ । ୨୩-୨୫ ସେପ୍ଟେମ୍ବର ମୁଖ୍ୟ ବର୍ଷା ସମୟ ହୋଇପାରେ । ଗତିପଥ ଉତ୍ତର ଆଡ଼କୁ ରହିଲେ ଉପକୂଳ, ଉତ୍ତର ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷାର ସମ୍ଭାବନା ବଢ଼ିବ । ଗତି ଧୀର ହେଲେ ୨୫-୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମଧ୍ୟ ପ୍ରଭାବ ରହିପାରେ । କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଶେଷ ଗତିପଥ ଉପରେ ନିର୍ଭର କରିବ । ଗତିପଥ ଅଧିକ ଉତ୍ତର ଆଡ଼କୁ ଯିବାର ସଙ୍କେତ ବଢ଼ିଛି ଏବଂ ମଡେଲ୍ଗୁଡ଼ିକ ମଧ୍ୟରେ ପାର୍ଥକ୍ୟ କମୁଛି । କିନ୍ତୁ ଉପକୂଳ ଅତିକ୍ରମ ସ୍ଥାନ ଓ ଶେଷ ତୀବ୍ରତା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।
ଏହି ଅବପାତର ଗତିପଥ କେଉଁ ଆଡ଼କୁ ରହିବ, ତାହା ଉପରେ ଏବେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି । ପ୍ରାଥମିକ ସୂଚନା ମୁତାବକ, ୨୧ ତାରିଖ ପରେ ଏହା ମୁଖ୍ୟତଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଯଦି ଏହି ଗତିପଥ ନବଦଳେ ତେବେ ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ । ଯଦିଓ ଏହା ସ୍ଥଳଭାଗ କେଉଁଠି ଛୁଇଁବ କିମ୍ବା କେତେ ଶକ୍ତିଶାଳୀ ହେବ ସେନେଇ ଏବେଠାରୁ ଶତପ୍ରତିଶତ ସ୍ପଷ୍ଟ କୁହାଯାଇପାରିବ ନାହିଁ, ତଥାପି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି ।













Leave a Reply