ଭୁବନେଶ୍ୱର, ୧୯/୯: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ | ପଞ୍ଜାବରେ ୩ ସପ୍ତାହ ଧରି ଚାଲିଥିବା କର୍ମଚାରୀ ଆନ୍ଦୋଳନ ଶେଷ ହୋଇଛି। ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ମହଙ୍ଗା ଭତ୍ତା (DA) ୮ ପ୍ରତିଶତ ବୃଦ୍ଧି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ କର୍ମଚାରୀ ତଥା ପେନସନଭୋଗୀ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି।
ଏହି ଅବସରରେ ମନ୍ତ୍ରୀ ଅମନ ଅରୋରା ଓ ବଲଜିତ କୌର, ମୁଖ୍ୟ ଶାସନ ସଚିବ କେ.ଏ.ପି. ସିହ୍ନା, ସାଧାରଣ ପ୍ରଶାସନ ସଚିବ କେ.କେ. ଯାଦବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକ ପରେ ପଞ୍ଜାବ ଷ୍ଟେଟ ମିନିଷ୍ଟ୍ରିଆଲ ସର୍ଭିସେସ ୟୁନିଅନର ସଭାପତି ଗୁରନାମ ସିଂହ ର୍ୱିକ କହିଛନ୍ତି ଯେ ବର୍ଦ୍ଧିତ ଡିଏ ଅକ୍ଟୋବର ୧ ତାରିଖରୁ ପ୍ରଦାନ କରାଯିବ।
ଭଗୱନ୍ତ ମାନଙ୍କ ତରଫରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଏହି ପଦକ୍ଷେପ କର୍ମଚାରୀଙ୍କ କଲ୍ୟାଣ ଏବଂ ସମ୍ମାନ ପ୍ରତି ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି; ସେ କର୍ମଚାରୀମାନଙ୍କୁ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକୃତ ସମସ୍ୟାର ସମାଧାନ ପାଇଁ କର୍ମଚାରୀ ପ୍ରତିନିଧିଙ୍କ ସହ ବାଧ୍ୟତାମୂଳକ ମାସିକ ବୈଠକ କରିବା, ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଘରର ୪୦ କିଲୋମିଟର ପରିସର ମଧ୍ୟରେ ପୋଷ୍ଟିଂ ଦେବା ଘୋଷଣା କରିବା ସହ ସୱଚ୍ଛ ତଥା ଦୁର୍ନୀତିମୁକ୍ତ ପ୍ରକ୍ରିୟା ଜରିଆରେ ପ୍ରାୟ ୭୦,୦୦୦ ସରକାରୀ ଚାକିରି ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ମହିଳା କର୍ମଚାରୀମାନଙ୍କୁ ନିଜ କ୍ୟାରିୟର ଏବଂ ପାରିବାରିକ ଦାୟିତ୍ୱ ମଧ୍ୟରୁ କୌଣସି ଗୋଟିକୁ ବାଛିବା ପାଇଁ ବାଧ୍ୟ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ରାଜ୍ୟ ସରକାର ସୁନିଶ୍ଚିତ କରିବେ ଯେ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ସମ୍ୱେଦନଶୀଳ ରହୁ। ବିବୃତିରେ ଆହୁରି କୁହାଯାଇଛି ଯେ ମାନ କର୍ମଚାରୀ ଓ ପେନସନଭୋଗୀ ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି।
ସରକାରୀ କର୍ମଚାରୀଙ୍କ କଲ୍ୟାଣ, ସମ୍ମାନ ଏବଂ ନ୍ୟାଯ୍ୟ ଦାବି ତାଙ୍କ ସରକାରଙ୍କ ପାଇଁ ସର୍ୱଦା ପ୍ରାଥମିକତା ହୋଇ ରହିଆସିଛି ବୋଲି ଗୁରୁତ୍ୱାରୋପ କରି ମାନ କହିଛନ୍ତି ଯେ, ନିଷ୍ପତ୍ତି ଅନୁଯାୟୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ୪ ପ୍ରତିଶତ ଲେଖାଏଁ ଦୁଇଟି କିସ୍ତି ପ୍ରଦାନ କରାଯିବ, ଯାହାର ଲାଭ ଅକ୍ଟୋବର ୧ ରୁ ସେମାନଙ୍କ ଦରମାରେ ଦେଖିବାକୁ ମିଳିବ।
ସେ କହିଛନ୍ତି ଯେ ରାଜ୍ୟ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପ୍ରକୃତ ଦାବି ପ୍ରତି ଏକ ଖୋଲା ମନୋଭାବ ରଖିଛନ୍ତି ଏବଂ ପ୍ରଚଳିତ ନିୟମ, ଆର୍ଥିକ ପ୍ରଭାବ ତଥା ଆଇନଗତ ସ୍ଥିତି ଅନୁସାରେ ଏହି ପ୍ରସଙ୍ଗଗୁଡ଼ିକୁ ସହାନୁଭୂତିର ସହ ଯାଞ୍ଚ କରାଯିବ। ସରକାର ଦୀର୍ଘ ଦିନରୁ ପଡ଼ିରହିଥିବା ବିଭିନ୍ନ ଦାବିକୁ ପରୀକ୍ଷା କରିବେ, ଯେଉଁଥିରେ ୨.୫୯ ପେନସନ ଫିଟମେଣ୍ଟ ଫ୍ୟାକ୍ଟର ଦାବି, ପୁରୁଣା ପେନସନ ଯୋଜନା (OPS) ର ପୁନଃପ୍ରଚଳନ, ବିଭିନ୍ନ ଭତ୍ତାର ପୁନରୁଦ୍ଧାର, ଆସିଓର୍ଡ କ୍ୟାରିୟର ପ୍ରୋଗ୍ରେସନ (ACP) ର କାର୍ଯ୍ୟକାରିତା, ପ୍ରୋବେସନ ଅବଧି ସମ୍ପର୍କିତ ୨୦୧୫ ଓ ୨୦୨୦ ପତ୍ର ସହ ଜଡ଼ିତ ପ୍ରସଙ୍ଗ ଏବଂ ଅଦାଲତଙ୍କ ନିଷ୍ପତ୍ତିର ସାଧାରଣୀକରଣ (generalisation) ଇତ୍ୟାଦି ଅନ୍ତର୍ଭୁକ୍ତ।













Leave a Reply