UPI ପେମେଣ୍ଟରେ ଅତିରିକ୍ତ ଚାର୍ଜ ନାହିଁ – ଉତ୍କଳ ପେଟ୍ରୋଲିୟମ ସଂଘ

ଭୁବନେଶ୍ଵର, ୧୯/୯: ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତିକର ଖବର। UPI ପେମେଣ୍ଟକୁ ନେଇ ଗତ କିଛି ଦିନ ହେବ ଆରମ୍ଭ ହୋଇଥିବା ଦ୍ୱନ୍ଦ୍ୱ ମଧ୍ୟରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । UPI ମାଧ୍ୟମରେ ଇନ୍ଧନ କିଣିବା ସମୟରେ ୨ ହଜାର ଟଙ୍କାରୁ ଅଧିକ ଅର୍ଥ ପେମେଣ୍ଟ କଲେ ଗ୍ରାହକଙ୍କଠାରୁ ଆଉ ଅତିରିକ୍ତ ୫ ଟଙ୍କା ଆଦାୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।ପେଟ୍ରୋଲ ପମ୍ପରେ UPI ପେମେଣ୍ଟ ଉପରେ ଲାଗୁଥିବା MDR ଚାର୍ଜକୁ ନେଇ ଡିଲରମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ମଧ୍ୟରେ ସଂଘ ଏହି ନିଷ୍ପତ୍ତି ନେଇଛି।

ସଂଘର କହିବା ଅନୁସାରେ, ଏହି ଚାର୍ଜ ସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଅବଗତ କରାଯାଇଛି। ତୈଳ ଡିଲରମାନଙ୍କ ଉପରେ ପଡୁଥିବା ଏହି ଅତିରିକ୍ତ ଚାର୍ଜ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଛି। ଗ୍ରାହକଙ୍କୁ ହଇରାଣ କରିବା ଡିଲରମାନଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରୁଥିବା ଗ୍ରାହକଙ୍କଠାରୁ ଅତିରିକ୍ତ ୫ ଟଙ୍କା ନେବା ନିଷ୍ପତ୍ତିକୁ ଲାଗୁ କରାଯିବ ନାହିଁ। ଗ୍ରାହକମାନେ ପୂର୍ବଭଳି ଡିଜିଟାଲ ପେମେଣ୍ଟ କରିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘର ଯୁକ୍ତି ହେଉଛି, ତୈଳ ଡିଲରମାନଙ୍କ ଉପରେ ଯେଉଁ MDR ଚାର୍ଜର ଆର୍ଥିକ ବୋଝ ପଡୁଛି, ତାହାର ସମାଧାନ ପାଇଁ ସରକାର ଓ ତୈଳ କମ୍ପାନୀମାନେ ପଦକ୍ଷେପ ନେବା ଆବଶ୍ୟକ। ଯଦି ଏହି ନିୟମ ପ୍ରତ୍ୟାହାର କରାନଯାଏ, ତେବେ ତୈଳ କମ୍ପାନୀଗୁଡ଼ିକ ଡିଲରମାନଙ୍କୁ ଦେଉଥିବା ମାର୍ଜିନ ବୃଦ୍ଧି କଲେ ଡିଲରମାନଙ୍କ ଉପରେ ଅତିରିକ୍ତ ଆର୍ଥିକ କ୍ଷତି ପଡିବ ନାହିଁ ବୋଲି ସଂଘ ମତ ଦେଇଛି।

Leave a Reply

Your email address will not be published. Required fields are marked *