ଭୁବନେଶ୍ୱର, ୧୯/୯: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ |ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି | ମମତା ସୁପ୍ରିମକୋର୍ଟରେ ପିଟିସନ ଦେଇ କହିଛନ୍ତି ECI ନିଷ୍ପତ୍ତି ଅସାମ୍ବିଧାନିକ, ବେଆଇନ ଓ ଅଗଣତାନ୍ତ୍ରିକ। ଏହାକୁ “ଗଣତନ୍ତ୍ର ଇତିହାସରେ କଳା ଦିନ” ବୋଲି କହିଛନ୍ତି। ନିର୍ବାଚନ ଆୟୋଗ ଟିଏମ୍ସିର ନାମ ଓ ‘ଫୁଲ ଓ ଘାସ’ ଚିହ୍ନ ବ୍ୟବହାର ଉପରେ ରୋକ ଲଗାଇଥିବା ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି।
ଶୁକ୍ରବାର ଦାଏର ହୋଇଥିବା ଏହି ଆବେଦନର ଡାଏରୀ ନମ୍ବର ୫୮୦୦୫/୨୦୨୬।ଏଥିରେ ମମତା ବାନାର୍ଜୀ ଆବେଦନକାରୀ ଥିବାବେଳେ ନିର୍ବାଚନ ଆୟୋଗ, ଏହାର ସଚିବ ଓ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କୁ ପକ୍ଷ କରାଯାଇଛି।
ଏହାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ଅନ୍ତରୀଣ ଆଦେଶ ଜାରି କରିଥିଲେ । ଏଥିରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ଓ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ଉଭୟଙ୍କୁ ଟିଏମ୍ସି ନାମ ଓ ‘ଫୁଲ ଓ ଘାସ’ ଚିହ୍ନ ବ୍ୟବହାର ନକରିବାକୁ କୁହାଯାଇଥିଲା। ଆଗାମୀ ଉପନିର୍ବାଚନ ପାଇଁ ଦୁଇ ଗୋଷ୍ଠୀକୁ ଅଲଗା ନାମ ଓ ଚିହ୍ନ ଦେବାକୁ ମଧ୍ୟ ଆୟୋଗ ନିଷ୍ପତ୍ତି ନେଇଥିଲା।
ନିର୍ବାଚନ ଆୟୋଗ କହିଥିଲା ଯେ ଦୁଇ ଗୋଷ୍ଠୀ ନିଜକୁ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ବୋଲି ଦାବି କରୁଛନ୍ତି। ତେଣୁ ନିର୍ବାଚନ ଚିହ୍ନ ସମ୍ପର୍କିତ ନିୟମ ଅନୁସାରେ ଏହି ବିବାଦର ଚୂଡ଼ାନ୍ତ ସମାଧାନ ଆବଶ୍ୟକ ବୋଲି ଆୟୋଗ କହିଛି। ଏହି ନିଷ୍ପତ୍ତିର ପ୍ରଭାବ ଅକ୍ଟୋବର ୬ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଉପନିର୍ବାଚନ ଉପରେ ପଡ଼ିବ। ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେବ।
ନିର୍ବାଚନ ଆୟୋଗର ଏହି ଆଦେଶକୁ ମମତା ବାନାର୍ଜୀଙ୍କ ଗୋଷ୍ଠୀ ବିରୋଧ କରିଛି। ଦଳର ସଂଗଠନ ଓ ନେତୃତ୍ୱକୁ ନେଇ ଟିଏମ୍ସିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଛି। ଉଭୟ ଗୋଷ୍ଠୀ ଦଳର ନାମ, ଚିହ୍ନ ଓ ସଂଗଠନ ଉପରେ ନିଜ ଅଧିକାର ଦାବି କରୁଛନ୍ତି।













Leave a Reply