ଗଣେଶ ମେଢ଼ ଭସାଣି ଶୋଭାଯାତ୍ରାରେ ଅଘଟଣ, ନିଆଁ ଲାଗି ୫ ଶିଶୁ ଗୁରୁତର ଆହତ

ଭୁବନେଶ୍ୱର, ୧୯/୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଅଘଟଣ | ହସଖୁସିରେ ମାହୋଲ ରେ ଦୁଃଖର ଲହରୀ ଖେଳିଯାଇଛି | ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ଏକ ବଡ ଅଘଟଣ ଘଟିଛି। ଜେନେରେଟରରୁ ନିଆଁ ଲାଗି ୫ ଜଣ ଶିଶୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସୀତାରାମପୁର ଆଗ୍ରାହରମ୍ ସାହିର ୪ ବର୍ଷୀୟ ଇତିଶ୍ରୀ ନାୟକ, ୧୧ ବର୍ଷୀୟ ସୁହାନି ନାୟକ, ୮ ବର୍ଷୀୟ ଭୂମି ନାୟକ, ୭ ବର୍ଷୀୟ ରାହରି ନାୟକ ଏବଂ ୫ ବର୍ଷୀୟ ବିକାଶ ନାୟକ।

ସୂଚନା ଅନୁସାରେ, ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ଜେନେରେଟର ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଶିଶୁମାନେ ଏହା ନିକଟରେ ବସି ଶୋଭାଯାତ୍ରା ଦେଖୁଥିଲେ। ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁଁ ନିକଟରେ ଥିବା ପେଟ୍ରୋଲ୍ ଜାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା।ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ଆହତ ହୋଇଥିଲେ। ଦୁର୍ଘଟଣା ପରେ ସେମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ଦୁଃଖର ଲହରୀ ଖେଳିଯାଇଛି |

Leave a Reply

Your email address will not be published. Required fields are marked *