ଭୁବନେଶ୍ବର,୨୨/୬ : ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। ସେ ତାଙ୍କ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଏହି ଅମାନୁଷିକ ଘଟଣା ବିଷୟରେ ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଗୁଜବ ଯୋଗୁଁ ଦୁଇ ଜଣ ନିରୀହ ସମାଜସେବୀ, ଯେଉଁମାନେ ଆମ ଲୋକଙ୍କ ସେବା କରିବା ପାଇଁ ବାହାର ରାଜ୍ୟରୁ ଏତେ ବାଟ ଆସିଥିଲେ ସେମାନଙ୍କୁ ନିର୍ମମ ଭାବେ ଆକ୍ରମଣ ଓ ସର୍ବସାଧାରଣରେ ଅପମାନିତ କରାଯିବା ସତରେ ହୃଦୟ ବିଦାରକ।

ଏହି ଯୁବ କର୍ମୀମାନେ ନିଜ ସ୍ୱାର୍ଥ ତ୍ୟାଗ କରି ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କ ପାଖକୁ ସାହାଯ୍ୟର ହାତ ବଢ଼ାଇବାକୁ ଆସନ୍ତି। ସେମାନଙ୍କର ବ୍ୟାକୁଳ ଗୁହାରି ଓ ଲୁହକୁ ଅଣଦେଖା କରି ସେମାନଙ୍କ ସହ ଏଭଳି ନିଷ୍ଠୁର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଆମ ପରିଚୟ ନୁହେଁ। ଓଡ଼ିଶା ହେଉଛି ସେହି ପବିତ୍ର ଭୂମି ଯାହା ସ୍ନେହ, ସୁରକ୍ଷା ପାଇଁ ଏବଂ ଆମ ସଂସ୍କୃତି “ଅତିଥି ଆମ ଭାଗବାନ” ର ବାର୍ତ୍ତା ପାଇଁ ଜଣାଶୁଣା। ଆମେ ଆମ ଅତିଥି ଙ୍କୁ ଆଦରର ସହ ସ୍ୱାଗତ କରିଥାଉ, ଏବଂ ଏହି ଲଜ୍ଜାଜନକ କାର୍ୟ୍ୟ ଆମ ପରମ୍ପରା ର ସମ୍ପୂର୍ଣ୍ଣ ବିରୋଧୀ ଯାହା ଆମ ମୁହଁ ତଳକୁ କରିଦେଇଛି। ସେମାନଙ୍କ ଦୋଷ ଥିଲେ ମଧ୍ୟ ଏଭଳି କଦର୍ୟ୍ୟ କାଣ୍ଡ କେବେ ଗ୍ରହଣୀୟ ନୁହଁ…
ଆମ ସମାଜରେ ହିଂସା ଏବଂ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ପାଇଁ କୌଣସି ସ୍ଥାନ ନାହିଁ। ପୀଡ଼ିତଙ୍କ ପାଇଁ ପ୍ରାର୍ଥନା ସହ ଏହି ବର୍ବରତା ପଛରେ ଥିବା ପ୍ରତ୍ୟେକ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରୁଛି।













Leave a Reply