ଦର୍ଶକଙ୍କ ମନ କିଣିଲା ‘ଡାଏରୀ’ର ସଙ୍ଗୀତ ଓ ଟିଜର୍ : ରଜ ପାଇଁ ଓଲିଉଡ଼ରେ ପ୍ରସ୍ତୁତି ଜୋରଦାର୍

ଭୁବନେଶ୍ବର,୩୧/୫ : ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ର ଟିଜର୍ ଏବଂ ମ୍ୟୁଜିକ୍ ରିଲିଜ୍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଆରା ଥିଲା। ଏହି ଯାଦୁକରୀ ସନ୍ଧ୍ୟାରେ ସିନେମା ଜଗତର ଅନେକ ନାମୀଦାମୀ ବ୍ୟକ୍ତିତ୍ୱ ଏବଂ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଏଥର ରଜ ବଜାର ପାଇଁ ଏକ ଶୁଭ ସଙ୍କେତ ଆଣିଦେଇଛି।

ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ଦ୍ୱାରା ନିର୍ମିତ ଏହି ସିନେମାର ଟିଜର୍ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା। ଏହି ରହସ୍ୟମୟ ଝଲକରେ ଏକ ବକ୍ସରୁ ବାହାରୁଥିବା ‘୨୦୧୯’ ଲେଖାଥିବା ଡାଏରୀ ଏବଂ “ମୋ ଠୁ ମୋ ଯାଏଁ…” ଭଳି ଗଭୀର ସଂଳାପ ଦର୍ଶକଙ୍କ ମନରେ କାହାଣୀକୁ ନେଇ ଉତ୍କଣ୍ଠା ସୃଷ୍ଟି କରିଛି। ଲୋକପ୍ରିୟ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଚମତ୍କାର ନିର୍ଦ୍ଦେଶନା, କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ, ସ୍କ୍ରିନପ୍ଲେ ତଥା ସଂଳାପ ଓ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ବଡ଼ ପରଦାରେ ଏକ ଅଭିନବ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି।

କେବଳ ଟିଜର୍ ନୁହେଁ, ସଙ୍ଗୀତ ଉନ୍ମୋଚନ ମଧ୍ୟ ଥିଲା ଏହି ଆକର୍ଷଣୀୟ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ବିନ୍ଦୁ। ସୋମେଶ ଶତପଥୀଙ୍କ ସୁମଧୁର ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ଓ ଲୁବୁନ୍-ଟୁବୁନ୍‌ଙ୍କ କୋରିଓଗ୍ରାଫି ଫିଲ୍ମର ଗୀତଗୁଡ଼ିକୁ ଶ୍ରୁତିମଧୁର ଏବଂ ଦୃଶ୍ୟମାନ କରିଛି। ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁଙ୍କ ସହ ଜସ୍ମିନ ଓ ପ୍ରଜ୍ଞା ନଜର ଆସୁଛନ୍ତି। ପ୍ରଣୟ ଜେଠୀ ଏବଂ ତାଙ୍କ ଟିମ୍‌ଙ୍କ ଦ୍ୱାରା ମିଡ଼ିଆ ଏବଂ ପ୍ରଚାର ଓ ପ୍ରସାର ପ୍ରମାଣିତ କରିଛି ଯେ, ଦର୍ଶକଙ୍କ ଭଲପାଇବା ଏବଂ ଟିମ୍‌ର କଠିନ ପରିଶ୍ରମ ବଳରେ ‘ଡାଏରୀ’ ଏଥର ରଜରେ ନିଶ୍ଚିତ ଭାବେ ଏକ ବଡ଼ ସଫଳତା ହାସଲ କରିବ। ଏହି ଚଳଚ୍ଚିତ୍ରର ସଂଗୀତ ବିତରକ ଭାବରେ ଆମର ମ୍ୟୁଜିକ ଥିବା ବେଳେ ଆଓ ନେକ୍ସଟ ଏହାର ଓଟିଟି ପାର୍ଟନର ଭାବରେ ସମ୍ପୃକ୍ତ ଅଛନ୍ତି l

Leave a Reply

Your email address will not be published. Required fields are marked *