ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ, ୧୬/୧୦: ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଓ କର୍ତ୍ତବ୍ୟ ସମ୍ପାଦନ ସୁରକ୍ଷିତ କରିବାକୁ ଭାରତୀୟ ପ୍ରେସ୍ କାଉନସିଲ୍ ଗାଇଡଲାଇନ୍ ଜାରି କଲା। ଭାରତୀୟ ପ୍ରେସ୍ କାଉନସିଲ୍ (ପିସିଆଇ) ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା ଏବଂ କର୍ତ୍ତବ୍ୟ ସମ୍ପାଦନକୁ ସୁରକ୍ଷିତ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ହୋଇଥିବା ପ୍ରତିବାଦ ପ୍ରଦର୍ଶନକୁ କଭର୍ କରିବା ବେଳେ କେତେକ ସାମ୍ବାଦିକ ଆହତ ହେବା ଏବଂ ପୁଲିସ ଦ୍ୱାରା ଅଟକ ରଖାଯିବା ଭଳି ଅତି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ମାର୍ଗଦର୍ଶିକା ଜାରି କରିଛି ।
କାଉନସିଲ୍ ପକ୍ଷରୁ କୁହାଯାଇଛି ଯେ, ଏହି ମାର୍ଗଦର୍ଶିକାର ମୂଳ ଲକ୍ଷ୍ୟ ହେଉଛି ସାମ୍ବାଦିକମାନଙ୍କୁ ସେମାନଙ୍କର ବୃତ୍ତିଗତ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବାରେ ସହଯୋଗ କରିବା । ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା, ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ ଏବଂ ପୁଲିସ ତଥା ପ୍ରଶାସନ ସହ ସୁସମନ୍ୱୟ ରକ୍ଷା କରିବା । ନିଜ ଅଫିସ ସହ ସାମ୍ବାଦିକମାନେ ଯୋଗାଯୋଗରେ ରହିବେ । ପ୍ରତିବାଦ ବା ଆନ୍ଦୋଳନସ୍ଥଳରେ ଉସୁକାଇବା ଭଳି କାର୍ଯ୍ୟ କରିବା କିମ୍ବା ସମର୍ଥନରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ସାମ୍ବାଦିକ ନିଜ ନିଜ ଗଣମାଧ୍ୟମ ଅନୁଷ୍ଠାନ କିମ୍ବା PIB/DIP ଦ୍ୱାରା ପ୍ରଦତ୍ତ ବୈଧ ପରିଚୟପତ୍ର ସାଙ୍ଗରେ ରଖିବେ ଏବଂ ଏହା ଯେପରି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ତାହା ନିଶ୍ଚିତ କରିବେ । ଆନ୍ଦୋଳନ କଭର୍ କରିବା ସମୟରେ ସାମ୍ବାଦିକମାନେ ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ବୃତ୍ତିଗତ ରହିବେ । କୌଣସି ପ୍ରତିବାଦରେ ସାମିଲ ହେବା, ପକ୍ଷ ନେବା, ଉତ୍ତେଜନା ସୃଷ୍ଟି କରିବା କିମ୍ବା ପ୍ରତିବାଦକାରୀ ଓ ପୁଲିସଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାଠାରୁ ଦୂରେଇ ରହିବେ । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଆଇନଗତ ପୁଲିସ ନିର୍ଦ୍ଦେଶକୁ ମାନ୍ୟତା ଦେବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଲେ କିମ୍ବା ପୁଲିସର କାର୍ଯ୍ୟାନୁଷ୍ଠାନ ଆଶା କରାଗଲେ ସାମ୍ବାଦିକମାନେ ଏକ ନିରାପଦ ଦୂରତା ବଜାୟ ରଖିବେ ।













Leave a Reply