ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୬/୧୦: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ | ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ | ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହାରେ ସକ୍ରିୟ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ ।
ଆସିକା ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇ ଆରମ୍ଭ କରିଥିଲେ ନିଜ ସଂସଦୀୟ ଯାତ୍ରା । ସେହି ବର୍ଷ ଡିସେମ୍ବରରେ ବିଜୁ ଜନତା ଦଳ ଗଠନ ହେବା ପରେ ଦଳର ନେତୃତ୍ୱ ନେଇଥିଲେ । ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ।୨୦୦୪ରେ ପୁଣିଥରେ ଓଡ଼ିଶାରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ବିଜେଡି । କିନ୍ତୁ ୨୦୦୯ ରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମଥର ପାଇଁ ବିଜେପି ହାତ ଛାଡ଼ି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ନବୀନ ।୨୦୦୦ରୁ ୨୦୨୪ ଲଗାତାର ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥିଲେ। ଦେଶର ଦୀର୍ଘତମ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ତାଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ଏକ ଦୀର୍ଘସ୍ଥାୟୀ ଆଞ୍ଚଳିକ ଶାସକ ଦଳ ଭାବେ ପ୍ରତିଷ୍ଠିତ ହୋଇଥିଲା ।
ନବୀନଙ୍କ ଶାସନକାଳରେ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା ଓ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା । ଚାଷୀଙ୍କୁ ଆର୍ଥିକ ସହାୟତା, ଗରିବ ପରିବାରଙ୍କୁ ଚିକିତ୍ସା ସୁବିଧା ଏବଂ ମାତୃ ଓ ଶିଶୁ କଲ୍ୟାଣ ଏହି ଯୋଜନାଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ତେବେ ଯୋଜନାର ପହଞ୍ଚ, ହିତାଧିକାରୀ ଚୟନ ଓ କାର୍ଯ୍ୟକାରିତାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ରାଜନୈତିକ ଆଲୋଚନା ହୋଇଛି ।
ନବୀନ ସରକାର ସମୟରେ ଓଡ଼ିଶା ଦୁଇଥର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିଥିଲା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମି ବିକାଶର ଦୁଇଟି ପ୍ରମୁଖ ଉଦାହରଣ । ହକି ସହ ଅନ୍ୟାନ୍ୟ କ୍ରୀଡ଼ାର ପ୍ରଶିକ୍ଷଣ ଓ ଭିତ୍ତିଭୂମି ନିର୍ମାଣ ପାଇଁ ମଧ୍ୟ ତାଙ୍କ ସରକାର ନିବେଶ କରିଥିଲା ।
ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନବୀନ ନିବାସରେ ଭିଡ଼ ଦେଖିବାକୁ ମିଳିଛି | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ, ମମତା, ଧର୍ମେନ୍ଦ୍ର ପ୍ରଧାନ ସମେତ ବହୁ ନେତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି | ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଓ ପୁରୀ ସିଂହଦ୍ୱାରରେ ଦୀପଦାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |













Leave a Reply