ପୂର୍ବ ଭାରତର ବିକାଶ ଦ୍ୱାରା ହିଁ ଭାରତର ବିକାଶ ସମ୍ଭବ : ପ୍ରଧାନମନ୍ତ୍ରୀ

ଖୁଣ୍ଟା, ୨୦/୬ : ଦିନିକିଆ ମୟୁରଭଞ୍ଜ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ରାଇରଙ୍ଗପୁର ଗସ୍ତରେ ଆସି ଦାଣ୍ଡବସ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ସଡ଼କ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମସ୍ଥାନ ପାହାଡ଼ପୁର ଅଭିମୁଖେ ଯାତ୍ରା କରିଥିଲେ । ପାହାଡ଼ପୁରଠାରେ ପହଞ୍ଚି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଗ୍ରାମରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏକସ ଏଲ୍ ଏସ ବିଦ୍ୟାଳୟକୁ ବୁଲି ଦେଖିବା ସହିତ ବିଦ୍ୟାର୍ଥିମାନଙ୍କ ସହିତ ଭାବ ବିନିମୟ କରିଥିଲେ ।

ପରେ ଆଦିବସୀ ଜାହିରା ପିଠରେ ଆର୍ଶୀବାଦ ଭିକ୍ଷା କରିବା ସହ ଗ୍ରାମବାସୀଙ୍କ ସହିତ ଭେଟ କରିଥିଲେ । ପରବର୍ତ୍ତୀ ସମୟରେ ସେଠାରୁ ଆସି ଦାଣ୍ଡବସ ଏୟାରଷ୍ଟ୍ରିପ ନିକଟରେ ଆୟୋଜିତ ସଭାରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ରାଜ୍ୟପାଳ କମ୍ଭମପତି ହରି ବାବୁ, ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତି ପରିଡାଙ୍କ ସମେତ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ଗଣେଷ ରାମ ଖୁଣ୍ଟିଆ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରାପଡ଼ା ସାଂସଦ ବୈଜନ୍ତ ପଣ୍ଡା, ମୟୁରଭଞ୍ଜ ସାଂସଦ ନବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ମହୋନ ଚ଼ରଣ ମାଝୀ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତୀ ଓ ଏହି ମଧ୍ୟରେ ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସୂଚ଼ାଇ ଥିଲେ ।

ଏହି ସଭାର ମୁଖ୍ୟ ଆକର୍ଷଣ ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ ଓ ଜୟ ମା’ କିଚକେଶ୍ୱରୀରୁ ଭାଷଣ ଆରମ୍ଭ କରିବା ସହ ମୋର ସବୁ ଭାଇ, ଭଉଣୀ, ମାଆ, ମାଉସୀମାନଙ୍କୁ ମୋର ନମସ୍କାର ବୋଲି ଓଡ଼ିଆ ଭାଷାରେ ସମ୍ବୋଦ୍ଧନ କରି ବକ୍ତବ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆମ ଓଡ଼ିଶା ଏବେ ଉତ୍ସବରେ ବୁଡ଼ି ରହିଛି । ଗଣପର୍ବ ରଜ ଧୁମ ଧାମରେ ପାଳନ ହୋଇଥିଲା । ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ବାରିପଦା ରଥଯାତ୍ରାକୁ ନେଇ ମଧ୍ୟ ଉତ୍ସାହର ମାହୋଲ ରହିଛି ଲୋକଙ୍କ ମଧ୍ୟରେ ରହିଛି ବୋଲି କହିଥିଲେ । ଏହି ମଧ୍ୟରେ ରାଜ୍ୟରେ ଲୋକତନ୍ତ୍ର ବିକାଶର ଉତ୍ସବ ମଧ୍ୟ ପାଳନ ହେଉଛି । ରାଜ୍ୟ ସରକାର ତା’ର ୨ବର୍ଷ ପୂର୍ତ୍ତ କରିଛି ।

ଏହି ସମୟର ଆପଣମାନଙ୍କ ଗହଣକୁ ଆସିବା ସୌଭାଗ୍ୟ ସହିତ ଏତେ ସଂଖ୍ୟାରେ ଆପଣମାନଙ୍କ ଉପସ୍ଥିତି ମୋ ପାଇଁ ଅତ୍ୟନ୍ତ ସୁଖର ଦିନ । ଆପଣମାନଙ୍କ ମୋ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ମୋତେ ବାରମ୍ବାର ଆପଣମାନଙ୍କ ନିକଟକୁ ଟାଣି ଆଣୁଛି, ତେଣୁ ଆପଣମାନଙ୍କୁ ମୁଁ ହୃଦୟରୁ ସ୍ୱାଗତ ଜଣାଉଛି ବୋଲି କହିଥିଲେ । ସେହିପରି, ଡ଼ବଲ ଇଞ୍ଜିନ ସରକାରଙ୍କ ରାଜ୍ୟ ବିକାଶ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଅଲଚ଼ିକି ଲିପିର ଶ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁ , ଡ଼ ଦମୟନ୍ତୀ ବେଶ୍ରା ଓ ଶ୍ରୀ ଚ଼ରଣ ହେମ୍ବ୍ରମଙ୍କୁ ପ୍ରଣାମ ଜଣାଇ ବା ସହ ଭାରତ ସରକାର ସାନ୍ତାଳି ଭାଷାରେ ଭାରତର ସମ୍ବିଧାନର ପ୍ରସ୍ତୁତି କରିଥିବା ସୂଚ଼ାଇଥିଲେ । ଓଡ଼ିଶାର ଏହି ବରପୁତ୍ରମାନଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ତତସହିତ ଗତ ୨ ବର୍ଷ ଧରି ରାଜ୍ୟ ସରକାର ମଧ୍ୟ ଏହି ମହାପୁରୁଷମାନଙ୍କ ଲକ୍ଷ୍ୟ ପୁରଣ ପାଇଁ କାର୍ଯ୍ୟକ୍ରମ ମାନ ଜାରି ରଖିଛନ୍ତି । ଆଜିର ଏହି ଦିନ ଆମ୍ଭମାନଙ୍କ ପାଇଁ ବେଶ୍ ସ୍ମରଣୀୟ ଦିନ । କାରଣ ଆଜିର ଏହି ମଞ୍ଚରେ ମୟୁରଭଞ୍ଜ ମାଟିର ଝିଅ ତଥା ଦେଶର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମଧ୍ୟ ଆମ ଗହଣରେ ଉପସ୍ଥିତ ରହିଛନ୍ତି ।

ଆଜି ତାଙ୍କର ଜନ୍ମ ଦିନ ମଧ୍ୟ, ଏଣୁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଦୀର୍ଘାୟୁ କାମନା କରୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଓଡ଼ିଶାର ଝିଅ ଆଜି ଦେଶର ସର୍ବୋଚ୍ଚ ପଦବୀରେ ବସି ଆମମାନଙ୍କୁ ମାର୍ଗ ଦର୍ଶନ କରୁଥିବା ଆମମାନଙ୍କ ପାଇଁ ଗୌରବର ବିଷୟ ବୋଲି ପ୍ରଧାନ ମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ କହିଥିଲେ । ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ଵ, ବ୍ୟବହାର ଓ ସରଳତା, ରାଷ୍ଟ୍ର ଓ ସମାଜ ସେବା ପାଇଁ ଥିବା ତାଙ୍କର ସମର୍ପଣ ମନୋଭାବ ଯୋଗୁଁ କେବଳ ମୟୁରଭଞ୍ଜ ନୁହେଁ ସମଗ୍ର ଓଡ଼ିଶାର ପରିଚ଼ୟକୁ ଶସକ୍ତ କରାଇ ପାରିଛନ୍ତି ।

ସେହିପରି ରାଇରଙ୍ଗପୁର ଆସିବା ଦୀର୍ଘ ଦିନର ଇଚ୍ଛା ଥିବା ଏବଂ ଏ ସମ୍ପର୍କରେ ଆଲୋଚ଼ନା କରୁଥିବା ସଭାରେ ସୂଚ଼ାଇଥିଲେ । କିଛି କାର୍ଯ୍ୟ ଏଭଳି ହୋଇଥାଏ ଯାହା ଇଶ୍ୱରଙ୍କ ଇଚ୍ଛା ଥାଏ । ଯାହା ଆଜିର ଏହି ସଭା ଦର୍ଶାଉଛି ବୋଲି କହିଥିଲେ । ଆଜି ରାଷ୍ଟ୍ରପତିଙ୍କ ଶୁଭ ଜନ୍ମଦିନ ସାଙ୍ଗକୁ ଆଜିର ଦିନରେ ରାଷ୍ଟ୍ରପତିଙ୍କ ଗାଁକୁ ଯାଇ ଶୁଭକାମନା ଜଣାଇବାର ସୁଯୋଗ ମଧ୍ୟ ମିଳିଲା ବୋଲି କହିଥିଲେ । ରାଷ୍ଟ୍ରପତିଙ୍କ ସହିତ ପାହାଡ଼ପୁର ଗ୍ରାମ ବୁଲି ବା ସହିତ ଛୋଟ ଛୋଟ ପିଲାମାନଙ୍କ ପାଇଁ ସେ ନିର୍ମାଣ କରିଥିବା SLX ପାହାଡ଼ପୁର ବିଦ୍ୟାଳୟ ଯିବାର ସୌଭାଗ୍ୟ ମିଳିବା ସହିତ ପିଲାମାନଙ୍କ ସହିତ କିଛି ସମୟ ଅତିବାହିତ କରିବାର ସୁଯୋଗ ଲାଭ କଲି । ପିଲାମାନଙ୍କ ସହିତ ରାଷ୍ଟ୍ରପତିଙ୍କ ମଧ୍ୟରେ ଥିବା ଆତ୍ମୀୟତା ମତେ ବିସ୍ମିତ କରିଥିଲା ।

ଗାଁର ଝିଅ ରାଷ୍ଟ୍ରପତି । ଫଳରେ ଗାଁର ପିଲାମାନଙ୍କୁ ଆଗକୁ ବଢ଼ିବା ଏବଂ ଦେଶ ପାଇଁ କିଛି ବଡ଼ କାର୍ଯ୍ୟ କରିବା ପାଇଁ ପ୍ରେରଣା ମଧ୍ୟ ଯୋଗାଉଛି । ଏହି ସବୁ ଅନୁଭୂତିକୁ ସାଉଣ୍ଟିବାର ସୁଯୋଗ ଦେଇଥିବାରୁ ମୁଁ’ ମଧ୍ୟ ରାଷ୍ଟ୍ରପତିଙ୍କ ଠାରେ ଋଣି ବୋଲି କହିବା ସହ ଆଜିର ଦିନ ମୋ ଜୀବନର ଏକ ଶିକ୍ଷାଗ୍ରହଣ କରିବାର ଦିନ ବେଲି କହିଥିଲେ । ଇତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ପରିଗଣିତ କରାଯିବ ବେଲି ସୁଚ଼ାଇ ଥିଲେ । ଏହାଦ୍ୱାରା ଗ୍ରାମର ପ୍ରତ୍ୟେକ ଘରୁ ସୌର ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇପାରିବ । ଗର୍ବର ବିଷୟ ଯେ, ଓଡ଼ିଶାରେ କୋଣାର୍କ ବା ସୂର୍ଯ୍ୟଙ୍କ ମନ୍ଦିର ରହିଛି । ଠିକ୍ ସେହିପରି ଆଗାମୀ ଦିନରେ ପାହାଡ଼ପୁର ସୂର୍ଯ୍ୟ ଗ୍ରାମର ପରିଚ଼ୟ ସୃଷ୍ଟି କରିବ । ଏହାର କାର୍ଯ୍ୟ ଯଥା ଶିଘ୍ର ଆରମ୍ଭ ହେବ ବୋଲି ସୂଚ଼ାଇଥିଲେ । ଏହାଦ୍ୱାର ପାହାଡ଼ପୁର ର ଲୋକ ମାନଙ୍କୁ ମାଗଣା ବିଜୁଳି ମିଳିବା ସହିତ ଅଧିକ ବିଜୁଳି ଉତ୍ପାଦନ ଦ୍ୱାରା ଗ୍ରାମବାସୀ ମାନଙ୍କର ରୋଜଗାର ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ ।

ରାଜ୍ୟରେ ଇତିହାସ ସୃଷ୍ଟି କରୁଛି ଡ଼ବଲ ଇଞ୍ଜିନର ସରକାର । ଆଜି ମୁଖ୍ୟମନ୍ତ୍ରୀ ମହୋନ ଚ଼ରଣ ମାଝୀଙ୍କ ନେତୃତ୍ଵରେ ଓଡ଼ିଶା ଦୃତ ବିକାଶ ଦିଗରେ ଅଗ୍ରସର ହେଉଛି । ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଦ୍ୱାର ସାଧାରଣ ଲୋକଙ୍କର ଜୀବନ ଧାରା ପରିବର୍ତ୍ତନ ହୋଇପାରିଛି । ରାଜ୍ୟରେ ଆର୍ଥିକ ବିକାଶ, ନିବେଶ ଓ ଉଦ୍ୟୋଗକୁ ଆକର୍ଷଣ କରିବାର କେନ୍ଦ୍ର ବିନ୍ଦୁ ସାଜିଛି । ରୋଜଗାର ବୃଦ୍ଧି ପାଇଁ ନୂତନ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । କେନ୍ଦ୍ର ସରକାରଙ୍କ ଦୃଷ୍ଟିରେ ପୂର୍ବ ଭାରତର ବିକାଶ ଦ୍ୱାରା ହିଁ ଭାରତର ବିକାଶ ସମ୍ଭବ ବୋଲି ସୂଚ଼ାଇଥିଲେ । ତେଣୁ ପୂର୍ବ ଉଦୟ ନୀତିକୁ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । କଂଗ୍ରେସ ସମୟରେ ଏହି ପୂର୍ବ ଭାରତକୁ ଅବହେଳା ପ୍ରଦର୍ଶନ କରି ଆସୁଥିଲା । ଆଜି ପ୍ରଗତିର ପ୍ରବେଶ ଦ୍ଵାର ଭାବେ ସ୍ୱତନ୍ତ୍ର ପରିଚ଼ୟ ସୃଷ୍ଟି କରିଛି । ଓଡ଼ିଶା ହିଁ ନିଜେ ଆଜି ଏହି ପରିବର୍ତ୍ତନର ସାରଥି ହୋଇପାରିଛି । ଏପରିକି ଓଡ଼ିଶାରେ ସମୁଦ୍ର , ଖଣିଜ ସମ୍ପଦ, କୃଷିର ଶକ୍ତି , ଏବଂ ସାମର୍ଥବାନ ଯୁବଶକ୍ତି ମଧ୍ୟ ରହିଛି । ଏହି ସାମର୍ଥ୍ୟର ସଠିକ୍ ବିନିଯୋଗ ପାଇଁ ମିଳି ମିଶି କାର୍ଯ୍ୟ ଚାଲୁ ରହିଛି ବୋଲି ସୂଚ଼ାଇଥିଲେ ।

ଏବେ ଓଡ଼ିଶାରେ ରେଳ ପ୍ରକଳ୍ପର ବିକାଶ ପାଇଁ ପୁଞ୍ଜି ନିବେଶ, ନୂତନ ସଡ଼କ , ଉର୍ଜ୍ଜା , ସେମିକଣ୍ଡକ୍ଟର, ଗ୍ରୀନ ଏନାର୍ଜୀ , ଏବଂ ଆଧୁନିକ ଉଦ୍ୟୋଗ ପାଇଁ ନିବେଶ ଆସୁଥିବା କହିଥିଲେ । ଆଜି ମଧ୍ୟ ଓଡ଼ିଶାର ବିକାଶ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନାଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚ଼ାଇ ଥିଲେ । ଏହି ମାଧ୍ୟମରେ ୪୭ ହଜାର କୋଟି ଟଙ୍କା ବ୍ୟୟ କରାଯିବ । ଯାହାଦ୍ୱାରା ବିଜୁଳି , ସଡ଼କ , ରେଳ, ସ୍ଵାସ୍ଥ୍ୟ ଓ ଶିକ୍ଷା ଇତ୍ୟାଦି କ୍ଷେତ୍ରରେ ଜନସାଧରଣ ଉପକୃତ ହୋଇ ପାରିବେ । ଏହି ସବୁ ଯୋଜନା ପାଇଁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୋଦୀ ।

କେନ୍ଦ୍ର ସରକାର ଓଡ଼ିଶାର ସଂସାଧନ ଗୁଡ଼ିକୁ ଓଡ଼ିଶାର ସମ୍ଭାବନାରେ ରୂପାନ୍ତରିତ କରୁଛି, ଓଡ଼ିଶାକୁ ବୃହତ ପୁଞ୍ଜି ନିବେଶ, ନୂଆ ଉଦ୍ୟୋଗ ହେଉ, ସେ ପାଇଁ ” ଉତ୍କସ ଓଡ଼ିଶା ” ଭଳି କାର୍ଯ୍ୟକ୍ରମ ଜାରି ରହିଛି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପ୍ରାପ୍ତ ହୋଇଛି । ସାଢେ ୩ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଅନେକ ମେଗା ପରିଯୋଜନାର କାର୍ଯ୍ୟ ଚାଲୁ ରହିଛି । ଉଦ୍ୟୋଗ ଗୁଡ଼ିକ ପାଇଁ ସଠିକ୍ ବାତାବରଣ ସୃଷ୍ଟି ହେଉ ଏଥିପାଇଁ ଓଡ଼ିଶାର ସମଗ୍ର ବିକାଶ ପାଇଁ ଦୃଷ୍ଟି ଦିଆଯାଉଛି । ସେହିଭଳି ପାୱାର କ୍ଷେତ୍ରରେ ୬ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନିବେଶ ହେଉଛି, ସମ୍ଭାବ୍ୟ ସହର ଯୋଜନା ମାଧ୍ୟମରେ ସହରର ବିକାଶର ରୂପ ଦିଆଯାଉଛି । ଆଗାମୀ ବର୍ଷ ମାନଙ୍କରେ ଏହାର ସୁଫଳ ଜନ ସାଧାରଣ ଦେଖିବାକୁ ପାଇପାରିବେ । ଡ଼ବଲ ଇଞ୍ଜିନ ସରକାରର ବିଶେଷତା ହେଉଛି ଏହି ସରକାର ନିଜେ ଜନସାଧାରଣଙ୍କ ନିକଟକୁ ହିଁ ଆସିଥାଏ । ଜଣେ ନାଗରିକଙ୍କୁ ତାର ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦୌଡ଼ିବାକୁ ନପଡ଼ୁ ଏହାହିଁ ଏହି ସରକାରଙ୍କ ଲକ୍ଷ୍ୟ ।

ସେହିପରି କୃଷକଙ୍କ ବିକାଶ ପାଇଁ କୁଇଣ୍ଟାଲ ପ୍ରତି ଧାନର ମୂଲ୍ୟ ୩୧ ଶହ ଟଙ୍କା ପ୍ରଦାନ , ଏକ କୋଟି ରୁ ଉର୍ଦ୍ଧ ମାଆ ଭଉଣୀ ମାନଙ୍କୁ ସୁଭଦ୍ରା ଯୋଜନା ଜରିଆରେ ଆର୍ଥିକ ସହାୟତା ପ୍ରଦାନ , ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ ଦେଶ ଭିତରେ ଚିକିତ୍ସାର ସୁବିଧା ସୃଷ୍ଟି , ଅର୍ଥ ଅଭାବରୁ ପାଠପଢ଼ା ଛାଡ଼ି ଦେଉଥିବା ଆଦିବାସୀ ବିଦ୍ୟାର୍ଥୀମାନଙ୍କୁ ପାଠ ପଢ଼ା ସହାୟତା ରାଶି ପାଇ ମାଧ ସିଂ ଯୋଜନା ର ପ୍ରଚଳନ , ଭକ୍ତ ମାନଙ୍କ ସୁବିଧା ପାଇଁ ଶ୍ରୀ ମନ୍ଦିର ର ୪ ଦ୍ୱାର ଖୋଲାଯିବା , ଆଦି ବିକାଶ ମୂଳକ କାର୍ଯ୍ୟ ଏହି ଡ଼ବଲ ଇଞ୍ଜିନ ସରକାରଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଛି। ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ ଏଥିନିନ୍ତେ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ପ୍ରସଂଶା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଜନଜାତି ବିକାଶ ପାଇଁ ଧରିତ୍ରୀ ଆବା ଯୋଜନା ମାଧ୍ୟମରେ ଜନଜାତି ମାନଙ୍କର ସ୍ୱାସ୍ଥ୍ୟ , ଶିକ୍ଷା , ରାସ୍ତା ଇତ୍ୟାଦିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ପି.ଏମ . ଜନମନ ଅଭିଯାନ ମାଧ୍ୟମରେ ଜନଜାତିରୁ ପଛୁଆ ବର୍ଗରେ ଥିବା ବ୍ୟକ୍ତିମାନଙ୍କର ବିକାଶ ହୋଇପାରୁଛି । ଆଦିବାସୀ ପିଲା ମାନଙ୍କୁ ଉତ୍ତମ ଶିକ୍ଷା ମିଳୁ ଯାହାକୁ ନେଇ ଦେଶରେ ପ୍ରାୟ ୫ଶହ ଏକଲବ୍ୟ ମଡେଲ ସ୍କୁଲ ଖୋଲାଯିବା, ପ୍ରି ଏବଂ ପୋଷ୍ଟ ମେଟ୍ରିକ ଲେବଲରେ ଦେଢ କୋଟି ଆଦିବାସୀ ଛାତ୍ରଙ୍କୁ ସ୍କଲାରସିପ ପ୍ରଦାନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ନୂତନ ଏକ ନବଦୋୟ ବିଦ୍ୟାଳୟ ସ୍ଥାପାନ ପାଇଁ ସିକୃତି ପ୍ରଦାନ କରାଯାଇଥିବା ମୋଦି ସଭାରେ ଘୋଷଣା କରିଥିଲେ । ଉପାନ୍ତ ଅଞ୍ଚଳରେ ରହୁଥିବା ଜନଜାତି ସମାଜ ସ୍ୱାସ୍ଥ୍ୟ ପାଇଁ ସିକେଲସେଲ ଓ ଏନିମିଆ ରୋଗ ସରକାରଙ୍କ ପାଇଁ ଚୁନତିପୂର୍ଣ୍ଣ ଥିଲା, ଏଥିନିମନ୍ତ ଦେଶ ବାପି ସଚ଼େତନ ସୃଷ୍ଟି କରିବା, ୪କୋଟିରୁ ଊର୍ଦ୍ଧ୍ବ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ, ରାସନକାର୍ଡ଼ ବଣ୍ଟନ, ଜଳ ଜୀବନ ମିଶନ ଜରିଆରେ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦ୍ୱାରା ଆଦିବାସୀ ସଂପ୍ରଦାୟର ବିକାଶ ହୋଇପାରିଛି ।

ଓଡ଼ିଶା ଓ ଭାରତ ଏବେ ଗୋଟିଏ ଦିଗରେ ଅଗ୍ରସ ହେଉଛନ୍ତି । ଯାହାର ଉଦାହରଣ ହେଉଛି ଆଗାମୀ ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନ ର ଶତବାର୍ଷିକ ଓ ୨୦୪୭ ରେ ଭାରତ ସ୍ଵତନ୍ତ୍ରତା ର ଶତ ବର୍ଷକ ପାଳନ ହେବ । ଓଡ଼ିଶାର ଅର୍ଥବ୍ୟବସ୍ଥା ଦୃଢ ହେଲେ ଯାଇ ମଜବୁତ ଭାରତ ଗଠନ ସମ୍ଭବ । ଏଣୁ ମିଳିମିଶି ଓଡ଼ିଶାର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ । ଜୁନ ୨୧ ଯୋଗ ଦିବସ ଥିବାରୁ ଏହି ଦିବସ ପାଳନ ପାଇଁ ଅଧିକରୁ ଅଧିକ ଲୋକ ଯୋଡ଼ି ହେବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଜନସାଧାରଣ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ମିଶି ତାଙ୍କର କର୍ମ ଭୂମି ଦେଖିବାର ସୌଭାଗ୍ୟ ମିଳିଥିବା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଜୟ ଜଗନ୍ନାଥ ଉଚ୍ଚାରଣ କରି ବକ୍ତବ୍ୟ ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *