ହୀରାକୁଦରେ ବନ୍ୟା ପରିସ୍ଥିତି ଗମ୍ଭୀର, ୨୬ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ବନ୍ୟାଜଳ ନିଷ୍କାସନ

ଭୁବନେଶ୍ୱର ୨୭/୯: ହୀରାକୁଦରେ ବନ୍ୟା ପରିସ୍ଥିତି ଗମ୍ଭୀର। ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବଢୁଥିବା ବେଳେ, ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌ ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୭ଟି ଓ ଦକ୍ଷିଣ ପାର୍ଶ୍ୱର ୯ଟି, ଏହିପରି ମୋଟ ୨୬ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୨.୧୩ ମିମି ଓ ତଳମୁଣ୍ଡରେ ୫.୩୮ ମିମି ବର୍ଷା ରେକର୍ଡ ହୋଇଛି। ରବିବାର ଅପରାହ୍ନ ସାଢ଼େ ୨ଟାରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ୬୨୮.୨୫ ଫୁଟ୍‌କୁ ହ୍ରାସ ପାଇଛି। ଏହି ଜଳ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୬-୮ ଲକ୍ଷ କ୍ୟୁସେକ୍ ହେବ|

ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୫୧ ହଜାର ୦୩୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୪ ଲକ୍ଷ ୬୨ ହଜାର ୬୪୩ ଘନଫୁଟ ଜଳ ନିଷ୍କାସିତ ହେଉଛି।

ସେଥିମଧ୍ୟରୁ ୨୬ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୪ ଲକ୍ଷ ୨୪ ହଜାର ୦୬୦ ଘନଫୁଟ, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୧,୭୩୨ ଘନଫୁଟ, ବରଗଡ଼ କେନାଲରେ ୩,୦୫୮ ଘନଫୁଟ, ଶାସନ କେନାଲରେ ୫୦୦ ଘନଫୁଟ, ସମ୍ବଲପୁର କେନାଲରେ ୧୦୫ ଘନଫୁଟ ଏବଂ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସିତ ହେଉଛି।

Leave a Reply

Your email address will not be published. Required fields are marked *