ବିମାନ ଓ ଟ୍ରେନରେ ମାଗଣା, ଆମ ବସରେ ୨୪୦ଅଣା

ଭୁବନେଶ୍ବର,୧୯/୬ : ଯୋଜନା ଥିଲା ସହରୀ ଯାତ୍ରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ବସ୍‌ ସେବା ଯୋଗାଇବା । ହେଲେ ଏବେ ବଦଳି ଯାଇଛି ଏହାର ସଂଜ୍ଞା । ଆମ ବସ୍‌କୁ ଘାରିଛି ପଇସା ରୋଜଗାର ନିଶା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମନରେ ପ୍ରଶ୍ନ ଉଠୁଥିବ କି ଆମ ବସ୍ ପୁଣି କେମିତି ପଇସା ରୋଜଗାର କରିପାରିବ । ଆଜ୍ଞା କଥାଟା ସମ୍ପୂର୍ଣ୍ଣ ଭାବେ ଠିକ୍ । ଯାହା ଆପଣ ପଢୁଛନ୍ତି । କାରଣ ଏବେ ଆପଣ ଯଦି ଆମ ବସରେ ଯାତ୍ରା କରୁଛନ୍ତି ତେବେ ଲଗେଜ ନେଇ ଯିବା କଥା ଭୁଲି ଯାଆନ୍ତୁ । ଯଦି ଆପଣ ଯାଉଛନ୍ତି ଲଗେଜ ଧରି ତେବେ ଆପଣଙ୍କୁ ଟଙ୍କା ଗଣିବାକୁ ହେବ ।

ସାଧାରଣରେ ଏହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି । ବସରେ ଲଗେଜ କ୍ୟାରିଅର ନାହିଁ କି ବସରେ ଡିକି ନାହିଁ। ସେହିଭଳି ବସ୍ ଉପରେ ବି ନେବାକୁ କୌଣସି ଜାଗା ନାହିଁ । ତା’ହେଲେ ଲଗେଜ୍ ପାଇଁ କାହିଁକି ଟଙ୍କା ଆଦାୟ ହେବ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଆମେ ଦେଖିବା ବିମାନ ହେଉ ଅବା ଟ୍ରେନରେ ଯାତ୍ରୀମାନେ ମାଗଣାରେ ତାଙ୍କ ଲଗେଜ ନେଇପାରିବେ । ସେହିଭଳି ବେସରକାରୀ ବସରେ ମଧ୍ୟ ଯାତ୍ରୀମାନେ ତାଙ୍କର ଜିନିଷ ନେଇପାରିବେ ମାଗଣାରେ । ତା’ହେଲେ ସରକାରୀ ବସରେ କାହିଁକି ଲୋକେ ଟଙ୍କା ଦେଇ ନିଜର ଲଗେଜ ନେବେ । ଲୋକେ ଏହାକୁ ନେଇ ସାଧାରଣରେ କହୁଛନ୍ତି ବିମାନରେ ମାଗଣା, ଆମ ବସରେ ଦ୍ବିଗୁଣା । ପ୍ରତିଦିନ ଆମ ବସ୍‌ ଯାତ୍ରାରେ ବ୍ୟାଗ୍‌ ପିଛା ଅତିରିକ୍ତ ଟଙ୍କା ଗଣିବାକୁ ଯାତ୍ରୀଙ୍କୁ ବାଧ୍ୟ କରାଯାଉଛି । ଯାହାକୁ ନେଇଯାତ୍ରୀ ପ୍ରତିବାଦ ଉଠାଉଛନ୍ତି ।

ସୂଚନା ଅନୁସାରେ, ବୁଧବାର ଲକ୍ଷ୍ମୀପ୍ରିୟା ରାଉତ କଟକ ରେଳ ଷ୍ଟେସନରୁ ଭୁବନେଶ୍ୱର ଅର୍ନ୍ତଜାତୀୟ ବିମାନ ବନ୍ଦର ଆସିଲେ । ସାଙ୍ଗରେ ଆଉ ଜଣେ ସମ୍ପର୍କୀୟ ରହିଥିଲେ । ରୁଟ୍‌ ନଂ-୮୦ରେ ଆସୁଥିବା ଏହି ବସ୍‌ ପ୍ରତି ଯାତ୍ରୀ ପିଛା ୩୦ ଟଙ୍କା ଏବଂ ସାଙ୍ଗରେ ଛୋଟ ବ୍ୟାଗ୍‌ ପାଇଁ ଅତିରିକ୍ତ ୧୫ଟଙ୍କା ଅର୍ଥାତ୍ ୨୪୦ଅଣା(ଗୋଟେ ଅଣାକୁ ୧୬ଟଙ୍କା) ମାଗିଲେ । ଏପରି ମୋଟ୍‌ ୭୫ ଟଙ୍କା ଦାବି କଲେ କଣ୍ଡକ୍ଟର । ହେଲେ ସେ ଏହାକୁ ବିରୋଧ କଲେ । ମାତ୍ର ଛୋଟିଆ ବ୍ୟାଗ୍‌ ଯାତ୍ରୀର ଅଧା ଭଡ଼ା କାହିଁକି ବୋଲି ପ୍ରଶ୍ନ କଲେ । ଯାହାକୁ ନେଇ ବିବାଦ ଦେଖାଦେଲା । ପରିଶେଷରେ ସେ ଟଙ୍କା ଗଣିଲେ ।

ଯାତ୍ରୀ ସେବା ଯୋଗାଇ ଦେବାକୁ କ୍ରୁଟ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ଆସ୍ତେ ଆସ୍ତେ ବ୍ୟାବସାୟିକ ଆଡ଼କୁ ଗତି କରୁଥିବା ଅନୁମାନ ହେଉଛି । ପ୍ରତିଦିନ ଭୁବନେଶ୍ୱରେ କର୍ମଜୀବୀ ମହିଳା, କଲେଜ ଛାତ୍ରଛାତ୍ରୀ, ଗରିବ ଲୋକେ ବସ୍‌ରେ ଯାତ୍ରା କରୁଛନ୍ତି । ସେମାନେ ଅତିବେଶିରେ ଛୋଟ୍‌ ବ୍ୟାଗ୍‌ ବ୍ୟବହାର କରୁଛନ୍ତି । ଏହା ସହ ରେଳ ଷ୍ଟେସନ ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଆମ ବସ୍‌ ଯୋଗେ ଅଧିକାଂଶ ଯାତ୍ରୀ ଯାଉଛନ୍ତି । ଯଦି ସେମାନଙ୍କ ପାଖରୁ ବ୍ୟାଗ୍‌ ପାଇଁ ଏପରି ଟଙ୍କା ଆଦାୟ କରାଯାଏ । ଯେଉଁ ଲକ୍ଷ୍ୟ ନେଇ ଆମ ବସ୍‌ ସେବା ଆରମ୍ଭ ହୋଇଥିଲା, ତାହା ସଫଳ ହେବ ତ ବୋଲି ପ୍ରଶ୍ନ ଉଠିଛି । ପୂର୍ବରୁ ଆମ ବସ୍‌ରେ କୌଣସି ବିଜ୍ଞାପନ ମରାଯାଉନଥିଲା । ବସ୍‌ରେ ଓଡ଼ିଶା କଳା ସଂସ୍କୃତିର ଛାପ ରହିଥିଲା । ସହର ମଧ୍ୟରେ ଏହାର ସୌନ୍ଦର୍ଯ୍ୟ ଝଟକୁଥିଲା । ହେଲେ ଏହାକୁ ହଟାଇ ବିଜ୍ଞାପନ ମରା ହୋଇଛି । ପୂରା କଦର୍ଯ୍ୟ ଦେଖାଯାଉଛି । ଏହାକୁ ହଟାଇବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *