ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ଵର, ୨୫/୬ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ୍। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତୃତ୍ଵ ତାଙ୍କୁ ସ୍ଵାଗତ ଜଣାଇଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଏନେଇ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା ନିର୍ବାଚନରେ ନବୀନ ହିଁ ବିଜେଡିର ନେତୃତ୍ଵ ନେବେ ବୋଲି ସ୍ପଷ୍ଟ କରିଛନ୍ତି। ନବୀନ କହିଛନ୍ତି ଯ ଜଣେ ଦକ୍ଷ ପ୍ରଶାସକ ଭାବେ ସେ ସଫଳ ଛାପ ଛାଡ଼ିଛନ୍ତି। ତାଙ୍କ ଅଭିଜ୍ଞତା ଦଳ ପାଇଁ ସହାୟକ ହେବ। ସେହିପରି ଦଳରେ ଯୋଗ ଦେବାପରେ ସୁଜାତା କହିଛନ୍ତି ଯେ, ନବୀନଙ୍କ ନେତୃତ୍ଵରେ ୨୪ ବର୍ଷ ଧରି ସେବା କରିଥିଲି। ପୁଣି ଥରେ ଓଡ଼ିଶାବାସୀଙ୍କ ସେବା କରିବାକୁ ସୁଯୋଗ ମିଳିଛି। ନିଷ୍ଠା ଓ ସମର୍ପଣର ସହ ଓଡ଼ିଶାବାସୀଙ୍କ ସେବା କରିବି।

୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ସଂଗଠିତ ହୋଇପାରୁନି। ଦଳରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଆଗ ଭଳି ନାହିଁ। ୩ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ପଳାଇଥିବା ବେଳେ ୮ ବିଧାୟକ ରାଜ୍ୟସଭା ଭୋଟରେ କ୍ରସ ଭୋଟିଂ କଲେ । ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଏଭଳି ସଙ୍କଟମୟ ସ୍ଥିତିରେ ବିଜେଡିକୁ ସୁଜାତାଙ୍କ ଆଗମନ ହେଉଛି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *