ଭୁବନେଶ୍ବର,୧୨/୬ : ଚଳିତ ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’। ପ୍ରିମିୟର ଶୋ’ ଅବସରରେ ମହାରାଜା ସିନେମା ହଲରେ ଦର୍ଶକଙ୍କ ଯେଉଁ ଉତ୍ସାହ ଦେଖିବାକୁ ମିଳିଥିଲା, ତାହା ନିଶ୍ଚିତ ଭାବେ ରଜ ବଜାର ପାଇଁ ଏକ ଶୁଭ ସଙ୍କେତ।
ସବୁବେଳେ ଆକ୍ସନ୍, ରୋମାନ୍ସ ଓ ଫ୍ୟାମିଲି ଡ୍ରାମାକୁ ନେଇ ପରଦାକୁ ଆସୁଥିବା ନାୟକ ତଥା ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଏଥର ଦର୍ଶକଙ୍କ ପାଇଁ ଏକ ନିଆରା ‘ତ୍ରିକୋଣୀୟ ପ୍ରେମ କାହାଣୀ’ ନେଇ ଆସିଛନ୍ତି। ତାଙ୍କ ସହ ନାୟିକା ଭାବରେ ଅଛନ୍ତି ଅଭିଜ୍ଞ ଜସ୍ମିନ ରଥ ଏବଂ ନବାଗତା ପ୍ରଜ୍ଞା ମିଶ୍ର। ବେଶ୍ ରହସ୍ୟମୟ ଟିଜର୍ ବିଶେଷ କରି ଏକ ବକ୍ସରୁ ବାହାରୁଥିବା ‘୨୦୧୯’ ଲେଖାଥିବା ଡାଏରୀ ଓ “ମୋ ଠୁ ମୋ ଯାଏଁ…” ଭଳି ଗଭୀର ସଂଳାପ ଦର୍ଶକଙ୍କ ମନରେ କାହାଣୀକୁ ନେଇ ଉତ୍କଣ୍ଠା ବଢ଼ାଇଦେଇଛି। ଅର୍ଦ୍ଧେନ୍ଦୁଙ୍କ ଫିଲ୍ମମାନେ ହିଟ୍ ଗୀତର ଗ୍ୟାରେଣ୍ଟି। ‘ବ୍ଲାକମେଲ୍’ ଫିଲ୍ମର ‘ରଙ୍ଗୋଲି’ ହେଉ କିମ୍ବା ‘ପରଦେଶୀ ଚଢ଼େଇ’ର ‘ତୋଫା ଚାନ୍ଦିନୀ’- ସେହି ଗୀତର ଯାଦୁ ଆଜି ବି ଦର୍ଶକଙ୍କ ହୃଦୟରେ ଅଛି। ଏଥର ମଧ୍ୟ ସୋମେଶ ଶତପଥୀଙ୍କ ସୁମଧୁର ସଙ୍ଗୀତ ନିଶ୍ଚିତ ହୃଦୟ ଛୁଇଁବ। ଅମିତ ନାୟକ ଓ ଲୁବୁନ୍-ଟୁବୁନ୍ଙ୍କ କୋରିଓଗ୍ରାଫି ଗୀତଗୁଡ଼ିକୁ ଦୃଶ୍ୟମାନ କରିବାରେ ବେଶ୍ ସହାୟକ ହୋଇଛି।
ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏବଂ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ସହଯୋଗରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଶାନ୍ତ ମଣି। ବରିଷ୍ଠ ଲେଖକ କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ ଓ ସଂଳାପ ସାଙ୍ଗକୁ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ଏକ ଅଭିନବ ଅନୁଭୂତି ଦେବ। ପ୍ରଣୟ ଜେଠୀଙ୍କ ସଫଳ ପ୍ରଚାର ପ୍ରସାର ଦାୟିତ୍ୱ ଫିଲ୍ମକୁ ଆହୁରି ଲୋକାଭିମୁଖୀ କରୁଛି। ସୂଚନାଯୋଗ୍ୟ ଯେ, ଆମରା ମ୍ୟୁଜିକ୍ (Amara Muzik) ଏହାର ଅଡିଓ ପାର୍ଟନର ଥିବାବେଳେ ‘ଆଓ ନେକ୍ସଟ’ (AAO NXT) ଓଟିଟି ପାର୍ଟନର ରହିଛି। ସବୁ ଦୃଷ୍ଟିକୋଣରୁ ବିଚାର କଲେ ରଜ ବଜାରରେ ‘ଡାଏରୀ’ ଦର୍ଶକଙ୍କୁ ବାନ୍ଧି ରଖିବାରେ ନିଶ୍ଚୟ ସଫଳ ହେବ।












Leave a Reply