ଭୁବନେଶ୍ୱର, ୩୦/୯: ଭୁବନେଶ୍ୱରସ୍ଥିତ ମାନ୍ୟବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୧ ର ବିଚାରପତି ଶ୍ରୀମତୀ ରୋଜାଲିନୀ ଦାସ, ଗତ ଜୁନ ମାସରେ ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକ ଗାଡି ଚୋରୀ ମାମଲାର ବିଚାର କରିଛନ୍ତି । ଅଭିଯୁକ୍ତ ଭଡ଼ାଟିଆ ସୌମେନ୍ଦ୍ର ଦାସକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି ।
ଅଭିଯୋଗକାରିଣୀ ସସ୍ମିତା ସାହୁ (୩୪)ଙ୍କ ଲିଖିତ ରିପୋର୍ଟ ଆଧାରରେ ଜଣାପଡ଼ିଥିଲା ଯେ, ଗତ ୧୭.୦୬.୨୦୨୬ ସନ୍ଧ୍ୟା ସମୟରେ ତାଙ୍କ ଘର ଗ୍ୟାରେଜରେ ରଖାଯାଇଥିବା ‘ହିରୋ ଗ୍ଲାମର’ ମୋଟରସାଇକେଲଟିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ । ଆଖପାଖରେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ଗାଡ଼ିଟିର ସନ୍ଧାନ ନ ମିଳିବାରୁ ସେ ଏୟାରଫୀଲ୍ଡ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗକୁ ଭିତ୍ତି କରି ଏୟାରଫୀଲ୍ଡ ଥାନା କେସ ନମ୍ବର ୨୮୪/୨୦୨୬ ରେ ମାମଲା ରୁଜୁ କରାଯାଇ ଥାନା ସବ୍-ଇନ୍ସପେକ୍ଟର ଶ୍ରୀମତୀ ଗୀତାଞ୍ଜଳି ବାରିକଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା ।
ସବ୍-ଇନ୍ସପେକ୍ଟର ଶ୍ରୀମତୀ ଗୀତାଞ୍ଜଳି ବାରିକ ଏହି ମାମଲାର ତଦନ୍ତ କରିବା ବେଳେ ଜଣାପଡ଼ିଥିଲା ଯେ, ଅଭିଯୋଗକାରିଣୀଙ୍କ ଘରେ ଭଡ଼ାଟିଆ ଭାବେ ରହୁଥିବା ସୌମେନ୍ଦ୍ର ଦାଶ ହିଁ ଏହି ଚୋରୀରେ ସମ୍ପୃକ୍ତ ଅଛି । ଗତ ୨୮.୦୬.୨୦୨୬ ତାରିଖରେ ଏକ ବିଶ୍ୱସ୍ତ ସୂଚନା ଆଧାରରେ ଏୟାରଫୀଲ୍ଡ ପୁଲିସ ଟିମ୍ ବାଦାମବାଡ଼ି ଥାନା ସହାୟତାରେ କଟକ ବାଦାମବାଡି ଅଞ୍ଚଳରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସେ ଉକ୍ତ ବାଇକ୍ ଚୋରି କରିଥିବା ସ୍ୱୀକାର କରିବା ସହ ବାଦାମବାଡ଼ି ଥାନାର ଅନ୍ୟ ଏକ ମୋଟରସାଇକେଲ ଚୋରି ମାମଲାରେ ମଧ୍ୟ ନିଜର ସମ୍ପୃକ୍ତି ଥିବା ସୂଚନା ଦେଇଥିଲା । ତା’ର ସୂଚନା ଆଧାରରେ ଚୋରି ହୋଇଥିବା ହିରୋ ଗ୍ଲାମର ବାଇକ୍ଟିକୁ ଉଦ୍ଧାର କରି ଜବତ କରାଯାଇଥିଲା । ଅଭିଯୁକ୍ତର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ସେ ପୂର୍ବରୁ ବାଦାମବାଡ଼ି, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଏବଂ କଟକ ମହିଳା ଥାନାରେ ସମୁଦାୟ ୪ଟି ଅପରାଧିକ ମାମଲାରେ ଜଡିତ ଅଛି ।
ମାମଲାର ବିଚାର ସମୟରେ ସରକାରୀ ଓକିଲ ଶ୍ରୀ ସୁଶାନ୍ତ କୁମାର ଦାଶ ଏବଂ ଶ୍ରୀ ବିଜୟ କୁମାର ବାରିକ ବିଚାରପତିଙ୍କ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଅନୁଧ୍ୟାନ କରି ମାନ୍ୟବର ଅଦାଲତ ଅଭିଯୁକ୍ତ ସୌମେନ୍ଦ୍ର ଦାଶକୁ ଦୋଷୀ ସାବ୍ୟସ୍ତ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତବର୍ଷ ୧୦୦ରୁ ଅଧିକ ମାମଲାରେ ଦୋଷୀମାନଙ୍କୁ ସଜ୍ଜା ଦିଆଯାଇଥିବା ବେଳେ, ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ଚଳିତ ବର୍ଷ ଏହା ହେଉଛି ୧୦୭ ତମ ମାମଲା ।













Leave a Reply