ଭୁବନେଶ୍ୱର /ବାଲେଶ୍ୱର, ୩୦/୯: ବାଲେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ । ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ ଶୋ-ରୁମ ଭିତରେ ଥିବା ୫୦ରୁ ଅଧିକ ନୂଆ ବାଇକ ସମେତ ବହୁ ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଇ-ବାଇକ ଚାର୍ଜିଂ ବେଳେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି |
ଏହି ଅଗ୍ନିକାଣ୍ଡରେ ଦେଢ଼ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ଶୋ-ରୁମ ଭିତରେ ରଖାଯାଇଥିବା ନୂଆ ବାଇକଗୁଡ଼ିକ ଗୋଟିଏ ପରେ ଗୋଟିଏ ନିଆଁରେ ଜଳିବାକୁ ଲାଗିଥିଲା। ଫଳରେ ନିଆଁ ଅତିଶୀଘ୍ର ସମଗ୍ର ଶୋ-ରୁମକୁ କବଳିତ କରିଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବାଲେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ।













Leave a Reply