ଆଜିଠୁ ଦୁଇ ଦିନିଆ ଆମେରିକା ଗସ୍ତରେ ସି ଜିନପିଙ୍ଗ୍

ଭୁବନେଶ୍ୱର, ୨୩/୯: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆଜିଠୁ (୨୩ ସେପ୍ଟେମ୍ବର) ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ୨୦୧୫ ପରେ ପ୍ରଥମ ଥର ଷ୍ଟେଟ୍ ଭିଜିଟ୍। ବିମାନବନ୍ଦରରେ ସ୍ୱାଗତ କରିବେ ଟ୍ରମ୍ପ । ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୋମବାର ଦିନ ଘୋଷଣା କରିଛନ୍ତି ଯେ, “ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ।”

ଦୁଇ ନେତା ଶେଷଥର ପାଇଁ ଗତ ମେ’ ମାସରେ ବେଜିଂରେ ସାକ୍ଷାତ କରିଥିଲେ। ସି ଜିନପିଙ୍ଗ୍ ଆଜି ଅପରାହ୍ଣରେ ୱାଶିଂଟନ୍ ନିକଟସ୍ଥ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ରେ ପହଞ୍ଚିବେ । ପ୍ରଚଳିତ ପ୍ରୋଟୋକଲ୍ ରୁ ହଟି ରାଷ୍ଟ୍ରପତି ଟ୍ରମ୍ପ ବିମାନବନ୍ଦରରେ ନିଜେ ତାଙ୍କୁ ସ୍ୱାଗତ କରିବେ । ସାଧାରଣତଃ ଆମେରିକାର ରାଷ୍ଟ୍ରପତି ବିଦେଶୀ ନେତାଙ୍କୁ ହ୍ୱାଇଟ୍ ହାଉସ୍ ରେ ସ୍ୱାଗତ କରୁଥିବାରୁ ଏହି ପଦକ୍ଷେପକୁ ବିଶେଷ କୂଟନୈତିକ ସଙ୍କେତ ଭାବେ ଦେଖାଯାଉଛି । ସ୍ୱାଗତ ସମୟରେ ମେଲାନିଆ ଟ୍ରମ୍ପ ଓ ସିଙ୍କ ପତ୍ନୀ ପେଙ୍ଗ୍ ଲିୟୁଆନ୍ ମଧ୍ୟ ଉପସ୍ଥିତ ରହିବେ । ସି ଜିନପିଙ୍ଗ୍ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ରେ ପହଞ୍ଚିବେ ।

ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ତାଙ୍କୁ ସ୍ୱାଗତ କରିବେ।ଆସନ୍ତାକାଲି ହ୍ୱାଇଟ୍ ହାଉସ୍ ରେ ସି ଜିନପିଙ୍ଗ୍ ଙ୍କୁ ଔପଚାରିକ ସ୍ୱାଗତ କରାଯିବ। ଗାର୍ଡ ଅଫ୍ ଅନର୍ , ସାମରିକ ବ୍ୟାଣ୍ଡ ଏବଂ ସୈନ୍ୟ ପରେଡ୍ ର କାର୍ଯ୍ୟକ୍ରମ ରହିଛି। ଗୋଟିଏ ବି-୨ ସ୍ପିରିଟ୍ ବୋମାବର୍ଷୀ ବିମାନ ଓ ଚାରିଟି ଏଫ୍ -୨୨ ରାପ୍ଟର୍ ଯୁଦ୍ଧବିମାନର ‘ଫ୍ଲାଇପାଷ୍ଟ’ ମଧ୍ୟ ହୋଇପାରେ । ଏହାପରେ ଟ୍ରମ୍ପ ଓ ସିଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହେବ। ସନ୍ଧ୍ୟାରେ ହ୍ୱାଇଟ୍ ହାଉସ୍ ର ଇଷ୍ଟ୍ ରୁମ୍ ରେ ରାଷ୍ଟ୍ରୀୟ ନୈଶଭୋଜି ଆୟୋଜନ କରାଯିବ । ଏଥିରେ ଆମେରିକାର ପ୍ରମୁଖ ପ୍ରଯୁକ୍ତି କମ୍ପାନୀର ମୁଖ୍ୟମାନେ ଯୋଗଦେବା ସମ୍ଭାବନା ରହିଛି ।

୨୫ ତାରିଖରେ ହ୍ୱାଇଟ୍ ହାଉସ୍ ରେ ଏକ ବ୍ୟକ୍ତିଗତ ଚା’-ଆଲୋଚନା ଓ ନ୍ୟାସନାଲ୍ ଆର୍କାଇଭ୍ ସ୍ ପରିଦର୍ଶନ ପରେ ସି ଆମେରିକାରୁ ଫେରିବେ। ଏହି ଗସ୍ତର ମୁଖ୍ୟ ଆକର୍ଷଣ ଔପଚାରିକ ସ୍ୱାଗତ ନୁହେଁ, ବରଂ ଦୁଇ ମହାଶକ୍ତି ମଧ୍ୟରେ ହେବାକୁ ଥିବା ଅର୍ଥନୈତିକ ଓ ରଣନୀତିକ ଆଲୋଚନା । ବାଣିଜ୍ୟ ଯୁଦ୍ଧବିରତିର ଅବଧି ବୃଦ୍ଧି, କିଛି ଅଣ-ରଣନୀତିକ ସାମଗ୍ରୀ ଉପରେ ଶୁଳ୍କ କୋହଳ, ବିରଳ ଖଣିଜ ପଦାର୍ଥର ଯୋଗାଣ, କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରଯୁକ୍ତି ରପ୍ତାନି କଟକଣା ଆଲୋଚନାରେ ସ୍ଥାନ ପାଇପାରେ ।

Leave a Reply

Your email address will not be published. Required fields are marked *