ଭୁବନେଶ୍ବର,୪/୧୦ : ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରି ପାରିଶ୍ରମିକ ନ ମିଳିବା ନେଇ ଅଭିଯୋଗ ଆଣି ଜଣେ କଳାକାର ସୋସିଆଲ ମିଡ଼ିଆରେ ନିଜ ମତ ପ୍ରକାଶ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାଟି କେବଳ ଜଣେ କଳାକାରଙ୍କ ପାରିଶ୍ରମିକକୁ ନେଇ ନୁହେଁ, ବରଂ ଫିଲ୍ମ ଶିଳ୍ପରେ ଚୁକ୍ତି, ପାରିଶ୍ରମିକ ପ୍ରଦାନ ଏବଂ ବିବାଦର ସମାଧାନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
ଫିଲ୍ମରେ କାମ କରିବା ପୂର୍ବରୁ କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚୁକ୍ତି ହେବା ଏକ ସାଧାରଣ ପ୍ରକ୍ରିୟା। ଏହି ଚୁକ୍ତିରେ ପାରିଶ୍ରମିକ, ପରିଶୋଧର ସମୟ ଓ ଅନ୍ୟାନ୍ୟ ସର୍ତ୍ତ ସ୍ପଷ୍ଟ ରହିବା ଆଶା କରାଯାଏ। ତେବେ ଚୁକ୍ତି ଥିବା ସତ୍ତ୍ୱେ ଯଦି ପାରିଶ୍ରମିକକୁ ନେଇ ବିବାଦ ଉପୁଜୁଛି, ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଚୁକ୍ତି ଗୁଡ଼ିକ କେତେ ସ୍ପଷ୍ଟ ଏବଂ ସେ ଗୁଡ଼ିକର ପାଳନ କେତେ ନିଶ୍ଚିତ ? ଏହି ପରିପ୍ରେକ୍ଷୀରେ ଆଉ ଏକ ଦିଗ ଗୁରୁତ୍ୱପୂର୍ଣ୍ଣ। କୌଣସି କଳାକାରଙ୍କୁ ତାଙ୍କ ପାରିଶ୍ରମିକ ନ ମିଳିଲେ ଚୁକ୍ତି ଅନୁଯାୟୀ ଆଇନଗତ କିମ୍ବା ଅନ୍ୟାନ୍ୟ ପ୍ରତିକାରର ବ୍ୟବସ୍ଥା ରହିଥାଏ। ତେବେ ବିବାଦର ସମାଧାନ ପାଇଁ ସୋସିଆଲ ମିଡ଼ିଆକୁ ଆଶ୍ରୟ କରିବାର ଆବଶ୍ୟକତା କାହିଁକି ପଡ଼ୁଛି । ଏହା କ’ଣ ଶୀଘ୍ର ନ୍ୟାୟ କିମ୍ବା ଚାପ ସୃଷ୍ଟି ପାଇଁ ଏକ ମାଧ୍ୟମ ହୋଇପଡ଼ିଛି ।
ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ନିଜ କଥା ଲୋକଙ୍କ ସାମ୍ନାରେ ରଖିବାର ଏକ ଶକ୍ତିଶାଳୀ ମଞ୍ଚ । କିନ୍ତୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଲେ ଅନ୍ୟପକ୍ଷର ମତାମତ ଓ ଚୁକ୍ତିର ପ୍ରକୃତ ସର୍ତ୍ତ ମଧ୍ୟ ସାମ୍ନାକୁ ଆସିବା ଆବଶ୍ୟକ। କେବଳ ସୋସିଆଲ ମିଡ଼ିଆ ପୋଷ୍ଟ ଆଧାରରେ କାହାକୁ ଦୋଷୀ ଭାବିବା ମଧ୍ୟ ଉଚିତ ନୁହେଁ। ଏହି ଘଟଣା ଓଲିଉଡ଼ରେ କଳାକାରଙ୍କ ପାଇଁ ଏକ ସ୍ୱଚ୍ଛ ଓ ଦୃଢ଼ ବିବାଦ ସମାଧାନ ବ୍ୟବସ୍ଥାର ଆବଶ୍ୟକତାକୁ ମଧ୍ୟ ସାମ୍ନାକୁ ଆଣିଛି । ପାରିଶ୍ରମିକ ନେଇ ବିବାଦ ହେଲେ କଳାକାରଙ୍କୁ ସୋସିଆଲ ମିଡ଼ିଆରେ ଅଭିଯୋଗ କରିବାକୁ ପଡ଼ିବ ନା ଇଣ୍ଡଷ୍ଟ୍ରି ଭିତରେ ହିଁ ଏହାର ସମାଧାନ ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ରହିବ ଏହା ଉପରେ ଚିନ୍ତା କରିବାର ସମୟ ଆସିଛି । କଳାକାରଙ୍କ ଶ୍ରମର ଯଥୋଚିତ ମୂଲ୍ୟ ମିଳିବା ଯେପରି ଜରୁରୀ, ସେହିପରି ପ୍ରଯୋଜକଙ୍କ ଅଧିକାର ଓ ଚୁକ୍ତିର ସର୍ତ୍ତକୁ ସମ୍ମାନ କରିବା ମଧ୍ୟ ଆବଶ୍ୟକ । ତେଣୁ ବ୍ୟକ୍ତିଗତ ଅଭିଯୋଗକୁ ନେଇ ଚର୍ଚ୍ଚା ମଧ୍ୟରେ ଅଟକି ନ ରହି, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ପାରିଶ୍ରମିକ ଓ ଚୁକ୍ତି ସମ୍ପର୍କିତ ଏକ ସ୍ପଷ୍ଟ ନିୟମ ଏବଂ ବିବାଦ ସମାଧାନ ବ୍ୟବସ୍ଥା ଗଠନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
ପୋଷ୍ଟ ହେଲା, ଚର୍ଚ୍ଚା ହେଲା, ଇଣ୍ଡଷ୍ଟ୍ରିକୁ ନେଇ ପ୍ରଶ୍ନ ଉଠିଲା। କିନ୍ତୁ ଏଠି ଗୋଟିଏ ବଡ଼ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ସୋସିଆଲ ମିଡ଼ିଆ କ’ଣ ଅଭିଯୋଗର ଠିକଣା, ନା ନ୍ୟାୟ ପାଇବାର ମାଧ୍ୟମ ? ଯଦି ଫିଲ୍ମ ସାଇନ୍ କରିବା ସମୟରେ କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା, ତେବେ ସେହି ଚୁକ୍ତିରେ ପାରିଶ୍ରମିକ ଓ ପେମେଣ୍ଟର ସର୍ତ୍ତ କ’ଣ ଥିଲା। ଯଦି ଚୁକ୍ତିର ସର୍ତ୍ତ ଉଲ୍ଲଂଘନ ହୋଇଛି, ତେବେ ଆଇନଗତ ପଦକ୍ଷେପ ନେବାର ରାସ୍ତା କ’ଣ ବନ୍ଦ । ନା ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଚାପ ଶୀଘ୍ର ସୃଷ୍ଟି ହୁଏ, ସେଥିପାଇଁ ଏହି ରାସ୍ତା ? ସୋସିଆଲ ମିଡ଼ିଆ ଚାପ ସୃଷ୍ଟି କରିପାରେ, ଭାଇରାଲ କରିପାରେ । କିନ୍ତୁ ନ୍ୟାୟ ଦେଇପାରିବ କି ?













Leave a Reply