ମିଡିଆ ମହାକୁମ୍ଭ ଉଦଯାପିତ ; ସାମାଜିକ ଦାୟିତ୍ୱ ହେଉ ଗଣମାଧ୍ୟମର ପ୍ରାଥମିକତା

ଭୁବନେଶ୍ୱର,୨୭/୧୧ : ମିଡିଆ ଅର୍ଥନୀତିର ବ୍ୟାପକ ପ୍ରସଙ୍ଗକୁ ନେଇ ଆୟୋଜିତ ତିନିଦିନିଆ ଦଶମ ଜାତୀୟ ଗଣମାଧ୍ୟମ ସମ୍ମିଳନୀ (ଏନ୍ଏମ୍ସି) ୨୦୨୬ ଉଦଯାପିତ ହୋଇଛି । ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍, ଗଣମାଧ୍ୟମ ବିଶେଷଜ୍ଞ ଓ ଗବେଷକମାନେ ଯୋଗଦେଇ ଗଣମାଧ୍ୟମର ସମସାମୟିକ ଆହ୍ୱାନ ଓ ସମ୍ଭାବନା ଉପରେ ମତ ବିନିମୟ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ ଯେ, ଗଣମାଧ୍ୟମର ଉଦ୍ଦେଶ୍ୟ କେବଳ ସନସନି ସୃଷ୍ଟି, ବ୍ୟବସାୟିକ ସଫଳତା ଓ ଟିଆରପି ଦୌଡ଼ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ନିରପେକ୍ଷତା, ଉତ୍ତରଦାୟିତ୍ୱ ଓ ସମାଜ ସହ ଗଠନମୂଳକ ସମ୍ପର୍କ ସ୍ଥାପନ ହେଉଛି ଗଣମାଧ୍ୟମର ମୌଳିକ ଦାୟିତ୍ୱ। ସାମ୍ବାଦିକତାରେ ବ୍ୟକ୍ତିଗତ ଧାରଣା କିମ୍ବା ପୂର୍ବନିର୍ଦ୍ଧାରିତ ଆଖ୍ୟାନ ବଦଳରେ ତଥ୍ୟ ଓ ସତ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ସମାଜର କୁପ୍ରଥା ଓ ଅନ୍ୟାୟକୁ ସାମ୍ନାକୁ ଆଣିବା ଯେତିକି ଜରୁରୀ, ସେତିକି ଗୁରୁତ୍ୱର ସହ ବିଜ୍ଞାନର ସଫଳତା, ଗବେଷଣାର ଫଳାଫଳ ଓ ଜନକଲ୍ୟାଣକାରୀ ପଦକ୍ଷେପକୁ ମଧ୍ୟ ଗଣମାଧ୍ୟମରେ ସ୍ଥାନ ଦେବା ଆବଶ୍ୟକ। କୋରାପୁଟ କଫିର ପ୍ରଚାର ଓ ପ୍ରସାର ଭଳି ଉଦାହରଣ ଦର୍ଶାଉଛି ଯେ, ଗବେଷଣା କିପରି ସମାଜ ପାଇଁ ବାସ୍ତବ ଲାଭ ଆଣିପାରେ। ନୂତନ ସାମ୍ବାଦିକମାନେ ସାମୟିକ ଲୋକପ୍ରିୟତା ଅପେକ୍ଷା ବିଶ୍ୱସନୀୟତାକୁ ପ୍ରାଥମିକତା ଦେବା ଉଚିତ୍। ଗଣମାଧ୍ୟମ ଜୀବିକା ସୃଷ୍ଟି, ସମୁଦାୟର ସଶକ୍ତୀକରଣ ଓ ରାଷ୍ଟ୍ର ନିର୍ମାଣରେ ସହାୟକ ହେବା ଆବଶ୍ୟକ। ଏହାର ଦାୟିତ୍ୱ ଧ୍ୱଂସ ନୁହେଁ, ବରଂ ନିର୍ମାଣ କରିବା ବୋଲି ସେ ମତବ୍ୟକ୍ତ କରିଥିଲେ।

ସେହିପରି ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଶାସନୀ କହିଥିଲେ ଯେ, ବୈଜ୍ଞାନିକ ଗବେଷଣା ଓ ଏହାର ଜନସାଧାରଣଙ୍କ ନିକଟରେ ଉପଯୁକ୍ତ ଉପସ୍ଥାପନା ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି। ବୈଜ୍ଞାନିକମାନେ ନୂତନ ଜ୍ଞାନ ଓ ଉଦ୍ଭାବନ ସୃଷ୍ଟି କରୁଥିବାବେଳେ, ଏହାକୁ ସାଧାରଣ ଲୋକଙ୍କ ପାଇଁ ସରଳ ଓ ବୋଧଗମ୍ୟ କରି ଉପସ୍ଥାପନ କରିବା ଗଣମାଧ୍ୟମର ଦାୟିତ୍ୱ। ସାମ୍ବାଦିକତା କେବଳ ସନ୍ସନି ଓ ଉପରଠାଉରିଆ ଖବର ପରିବେଷଣରେ ସୀମିତ ନରହି ତଥ୍ୟଭିତ୍ତିକ, ସନ୍ତୁଳିତ ଓ ବିକାଶମୁଖୀ ହେବା ଆବଶ୍ୟକ ବୋଲି ସେ କହିଥିଲେ। ପ୍ରତ୍ୟେକ ଆଖ୍ୟାନରେ ବିଭିନ୍ନ ଦୃଷ୍ଟିକୋଣକୁ ସ୍ଥାନ ଦେବା ସହ ନୈତିକତା, ମାନବିକତା ଓ ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଉଚିତ୍। ବୈଜ୍ଞାନିକ ଉପଲବ୍ଧିର କେବଳ ବାହ୍ୟ ଦିଗକୁ ନୁହେଁ, ଏହାର ଗଭୀରତା ଓ ସାମାଜିକ ପ୍ରଭାବକୁ ବୁଝିବା ପାଇଁ ଗଣମାଧ୍ୟମ କର୍ମୀମାନେ ଉଦ୍ୟମ କରିବା ଆବଶ୍ୟକ। ଜ୍ଞାନ ଓ ସମାଜ ମଧ୍ୟରେ ସେତୁ ଭାବେ ଗଣମାଧ୍ୟମ କାର୍ଯ୍ୟ କରିବା ସହ ଗବେଷଣା କିପରି ଜୀବିକା, ଅର୍ଥନୈତିକ ପ୍ରଗତି ଓ ଜନକଲ୍ୟାଣରେ ସହାୟକ ହେଉଛି, ତାହାକୁ ଲୋକଲୋଚନକୁ ଆଣିବା ଦରକାର ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟକୁ ‘ସର୍ବୋତ୍ତମ ଜନସମ୍ପର୍କ କାର୍ଯ୍ୟକାରୀ ସଂସ୍ଥା’ ବର୍ଗରେ ଏନ୍ଏମ୍ସି ପୁରସ୍କାର ପ୍ରଦାନ କରାଯାଇଥିଲା। ରବିବାର ଅନୁଷ୍ଠିତ ଚାରୋଟି ସମାନ୍ତରାଳ ଅଧିବେଶନରେ ମୋଟ ୬୪ଟି ଗବେଷଣା ପତ୍ର ଉପସ୍ଥାପିତ ହୋଇଥିଲା। ସେଥିମଧ୍ୟରୁ ଛଅ ଜଣ ଶ୍ରେଷ୍ଠ ପ୍ରବନ୍ଧ ଉପସ୍ଥାପକଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ, କିଟ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର (ଡ.) ରାଜୁ କେ.ଡି. ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସ୍ୱାତୀ ମିଶ୍ର ଉଦ୍ୟାପନୀ ସମାରୋହରେ ଉଦ୍ବୋଧନ ଦେଇଥିଲେ। ସମ୍ମିଳନୀର ଅଧ୍ୟକ୍ଷ ତଥା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ ପଣ୍ଡିତ ଦୀନଦୟାଲ ଏନର୍ଜି ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଦୀପ ମଲ୍ଲିକ ସମ୍ମିଳନୀର ବିବରଣୀ ଉପସ୍ଥାପନ କରି ଏହାର ପ୍ରମୁଖ ଆଲୋଚନା ଓ ଶୈକ୍ଷିକ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *