ଭୁବନେଶ୍ୱର, ୧୯/୯: ତିରୁପତି ବାଲାଜୀ ମନ୍ଦିରର ପ୍ରସିଦ୍ଧ ଲଡୁ ପ୍ରସାଦମକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ ଖୁଲାସା କରିଛି । ତିରୁପତି ଲଡୁ ପ୍ରସାଦରେ ଯେଉଁ ଘିଅ ବ୍ୟବହାର ହେଉଥିଲା, ତାହା ନକଲି ଥିଲା। ଲଡୁ ପ୍ରସାଦମ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ରିଫାଇନ୍ଡ ପାମ୍ ଅଏଲ୍, ପାମ୍ କର୍ଣ୍ଣେଲ ଅଏଲ୍, ପାମୋଲିନ୍ ସମେତ ବିଭିନ୍ନ ପ୍ରକାରର କେମିକାଲ୍ ବ୍ୟବହାର ହେଉଛି । ଏହି ମାମଲାରେ ED ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚନ୍ଦ ମଙ୍ଗଲାଙ୍କୁ ଗିରଫ କରିଛି । ଘିଅ ମିଶ୍ରଣ ଏବଂ ମନି ଲଣ୍ଡରିଂ ସମ୍ପର୍କିତ ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ ଚାଲିଛି ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଘିଅ ମିଶ୍ରଣ ମାମଲାରେ EDର ହାଇଦ୍ରାବାଦ କାର୍ଯ୍ୟାଳୟ ସେପ୍ଟେମ୍ବର ୧୭ରେ ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚନ୍ଦ ମଙ୍ଗଲାଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ବିଶାଖାପାଟଣାମର PMLA କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
EDର ଦାବି ଅନୁଯାୟୀ, ତିରୁପତି ଲଡୁ ପ୍ରସାଦମ ପାଇଁ ଯେଉଁ ଘିଅ ଯୋଗାଣ ହୋଇଥିଲା, ତାହା ରିଫାଇନ୍ଡ ପାମ୍ ଅଏଲ୍, ପାମ୍ କର୍ଣ୍ଣେଲ ଅଏଲ୍ ଓ ପାମୋଲିନ୍ ଭଳି ଉଦ୍ଭିଦ ତେଲ ସହିତ ବିଭିନ୍ନ ରାସାୟନିକ ପଦାର୍ଥ ମିଶାଇ ପ୍ରସ୍ତୁତ କରାଯାଇଥିଲା । ଏଥିରେ MG-90, ମୋନୋଗ୍ଲିସରାଇଡ୍ସ, ମାଇଭାସେଟ୍ ସଫ୍ଟ ୪୦୦ ଏବଂ ଏସିଟିକ୍ ଏସିଡ୍ ଏଷ୍ଟର ଭଳି ପଦାର୍ଥ ବ୍ୟବହାର କରାଯାଇଥିବା ED ତଦନ୍ତରେ ଦାବି କରାଯାଇଛି । ପରେ ଏହି ଘିଅକୁ ‘ଏଗମାର୍କ ସ୍ପେଶାଲ୍ ଗ୍ରେଡ୍ କାଉ ଘିଅ’ ଅର୍ଥାତ୍ ଶୁଦ୍ଧ ଗାଈ ଘିଅ ଭାବେ ଦର୍ଶାଇ TTDକୁ ଯୋଗାଣ କରାଯାଇଥିବା ଅଭିଯୋଗ ହୋଇଛି ।












Leave a Reply